ନୂଆଦିଲ୍ଲୀ,୨୬।୭: ଦେଶର ଦ୍ୱିତୀୟ ସର୍ବବୃହତ୍ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍)କୁ ଘରୋଇକରଣ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ଏଥି ଲାଗି କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ଏସ୍) ସମ୍ପର୍କରେ ଘୋଷଣା କରାଯାଇଛି। ଆଗାମୀ ଦିନରେ କମ୍ପାନୀ ନୂଆ ମ୍ୟାନେଜମେଣ୍ଟ ହାତକୁ ଯିବ। ନୂଆ ମ୍ୟାନେଜମେଣ୍ଟ ଚାହୁଁ ନ ଥିବା ବ୍ୟକ୍ତି ଏହି ସ୍କିମ୍ ଚୟନ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ବିଭିନ୍ନ ବ୍ୟକ୍ତିଗତ କାରଣ ଲାଗି ଯଦି କୌଣସି ବ୍ୟକ୍ତି କର୍ପୋରେଶନରେ ଚାକିରି ନ କରିବାକୁ ଚାହାନ୍ତି ତେବେ ମଧ୍ୟ ଭିଆର୍ଏସ୍ ନେଇପାରିବେ। ଜୁଲାଇ ୨୩ରେ ଏହି ସ୍କିମକୁ ଆରମ୍ଭ କରାଯାଇଥିବା ବେଳେ ଅଗଷ୍ଟ ୨୩ ଯାଏ ଏହାର ଅବଧି ରହିବ। ଘରୋଇ ପରିଚାଳନା ଅଧୀନରେ କାମ ନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ଯୋଜନା ଦ୍ୱାରା ନିଷ୍ପତ୍ତି ନେଇପାରିବେ ବୋଲି କମ୍ପାନୀର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଘରୋଇକରଣ ହେଲେ କର୍ମଚାରୀଙ୍କ ନିଯୁକ୍ତି ସ୍ଥାନ, କାର୍ଯ୍ୟ ଏବଂ ପଦବୀରେ ପରିବର୍ତ୍ତନ ହେବ। ଏଭଳି ସ୍ଥଳେ ଯଦି କିଏ କମ୍ପାନୀ ଛାଡିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଭିଆର୍ଏସ୍ ନେଇପାରିବେ ବୋଲି ଅଧିକାରୀ କହିଛନ୍ତି। ବିପିସିଏଲ୍ରେ ସରକାର ତାଙ୍କର ୫୨.୯୮% ଅଂଶଧନକୁ ସମ୍ପୂର୍ଣ୍ଣ ବିକ୍ରି କରିଦେବେ। ପ୍ରାୟ ୫ରୁ ୧୦% କର୍ମଚାରୀ ଭିଆର୍ଏସ୍ ଚୟନ କରିପାରନ୍ତି ବୋଲି କୁହାଯାଉଛି। ଏହି କମ୍ପାନୀରେ ପ୍ରାୟ ୨୦ ହଜାର କର୍ମଚାରୀ କାମ କରୁଛନ୍ତି।