ବିପିଏସ୍‌ପିଏ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଗେଜେଟେଡ୍‌ ଅଫିସର୍ସ କାଟେଗୋରିରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସ୍‌ପିଏ) ୨୦୨୦-୨୧ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ରାଷ୍ଟ୍ରୀୟସ୍ତରର ଏହି ସମ୍ମାନ ସହ ବିପିଏସ୍‌ପିଏକୁ ୨୦ଲକ୍ଷ ଟଙ୍କାର(ଗ୍ରାଣ୍ଟ-ଇନ୍‌-ଏଡ୍‌) ପୁରସ୍କାର ମଧ୍ୟ ମିଳିଛି। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶାର ବିପିଏସ୍‌ପିଏକୁ ଏହି ସର୍ବଶ୍ରେଷ୍ଠ ସମ୍ମାନ ମିଳିଛି, ଯାହାକି ଏକାଡେମୀର ସମସ୍ତଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି ବୋଲି ଏହାର ନିର୍ଦ୍ଦେଶକ ତଥା ଅତିରିକ୍ତ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ବିପିଏସ୍‌ପିଏ ଓଡ଼ିଶାର ଏକ ପ୍ରମୁଖ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ। ୨୦୦୫ରେ ଏହା ପ୍ରତିଷ୍ଠା ହୋଇଥିଲା। ଏଠାରେ ସିଧାସଳଖ ଡିଏସ୍‌ପି ଏବଂ ସବ୍‌ ଇନ୍‌ସପେକ୍ଟର, ସର୍ଜେଣ୍ଟ, ଡେପୁଟି ସୁବେଦାର ଭାବେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇଥାଏ। ଏଯାବତ୍‌ ଏଠାରୁ ୬ଟି ବ୍ୟାଚ୍‌ରେ ସିଧାସଳଖ ଓପିଏସ୍‌ ପାଇଥିବା ୬୫ ଡିଏସ୍‌ପି ଏବଂ ୨୪ଟି ବ୍ୟାଚ୍‌ରେ ୩୨୦୦ ସବ୍‌ ଇନ୍‌ସପେକ୍ଟର୍ସ, ସର୍ଜେଣ୍ଟ ଏବଂ ସୁବେଦାର ପ୍ରଶିକ୍ଷଣ ନେଇସାରିଛନ୍ତି। ପୋଲିସ ଏଏସ୍‌ଆଇ, ଏକ୍ସାଇଜ୍‌ ଅଫିସର, ଟ୍ରାନ୍‌ସପୋର୍ଟ(ଓଏମ୍‌ଭିଡି), ଫରେଷ୍ଟ, ପ୍ରିଜନ୍‌ ଡିପାର୍ଟମେଣ୍ଟ ଓ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଅଧିକାରୀଙ୍କୁ ମଧ୍ୟ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ଚାକିରିରେ ଥିବା ପୋଲିସ ଅଧିକାରୀଙ୍କୁ ଚାକିରିକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପୂର୍ବାଞ୍ଚଳ ଜୋନ୍‌ରେ ଆସୁଥିବା ବିପିଏସ୍‌ପିଏ ପୂର୍ବରୁ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରଦାନ କରିବାରେ ୨୦୧୫-୧୬, ୨୦୧୬-୧୭, ୨୦୧୮-୧୯ ଏବଂ ୨୦୧୯-୨୦ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜୋନାଲ୍‌ ଲେଭଲ୍‌ ଟ୍ରଫି ପାଇବାରେ ସଫଳ ହୋଇଥିଲା। ଚଳିତଥର ଗେଜେଟେଡ୍‌ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟଟ୍‌ କାଟେଗୋରିରେ ଦେଶର ସର୍ବଶ୍ରେଷ୍ଠ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିପିଏସ୍‌ପିଏ ପୁରସ୍କୃତ ହୋଇଥିବାବେଳେ ନନ୍‌ ଗେଜେଟେଡ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ କାଟେଗୋରିରେ ମହାରାଷ୍ଟ୍ର ପୁଣେସ୍ଥିତ ଏମ୍‌ଏସ୍‌ପିଡବ୍ଲ୍ୟୁଟିସି ଏବଂ ଅନ୍ୟାନ୍ୟ (କନଷ୍ଟେବଳ) ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ କାଟେଗୋରିରେ ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ପୋଲିସ ଟ୍ରେନିଂ କଲେଜ ଟ୍ରଫି ହାସଲ କରିଛନ୍ତି।

Share