ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର ପରିଷଦକୁ ମ୍ୟୁନିସିପାଲ କର୍ପୋରେଶନ (ମହାନଗର ନିଗମ) ଘୋଷଣା କଲେ। ୨୦୧୭ ଅଗଷ୍ଟ ୩୧ ଅର୍ଥାତ୍ ସ୍ବାୟତ୍ତ ଶାସନ ଦିବସରେ ଅନୁଷ୍ଠିତ ହୋଇଥିଲା ୧୫୦ ବର୍ଷ ପୂର୍ତ୍ତି ପାଳନ ମହୋତ୍ସବ। ତେବେ କର୍ପୋରେଶନ ଗଠନର ୧୪ ବର୍ଷ ପୂରିଛି ଏବଂ ପୌର ପରିଷଦ ନାମ ବଦଳି ମହାନଗର ନିଗମ ହୋଇଛି।
ପୌର ପରିଷଦ ଗଠନ ଆରମ୍ଭରୁ ସହରର ୨୭ ୱାର୍ଡ ଥିଲା। ୨୦୦୮ ନିର୍ବାଚନ ବେଳେ ୱାର୍ଡସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ଅପରପକ୍ଷରେ ୧୯୯୭ ପୌର ନିର୍ବାଚନ ଯାଏ ପରିଷଦ କଂଗ୍ରେସ ଦଖଲରେ ଥିଲା। ୨୦୦୩ ନିର୍ବାଚନରେ ବିଜେଡି ଦଖଲକୁ ଆସିଥିଲା ପୌର ଶାସନ। ସେତେବେଳେ ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶତାଧିକ ବର୍ଷ ପରେ ବ୍ରହ୍ମପୁର ସର୍ବପ୍ରଥମ ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୦୮ ନିର୍ବାଚନରେ ମଧ୍ୟ ବିଜେଡି ସଂଖ୍ୟା ଗରିଷ୍ଠ ହେବାରୁ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ। ମାତ୍ର ୩ ମାସ ପରେ କର୍ପୋରେଶନ ମାନ୍ୟତା ମିଳିବାରୁ ନଗରପାଳ ମେୟର ଓ ନିର୍ବାଚିତ କାଉନସିଲରମାନେ କର୍ପୋରେଟର ବନିଗଲେ। ତେବେ ୨୦୧୩ରେ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂଖ୍ୟା ୪୦ ଏବଂ ୨୦୨୨ ପୌର ନିର୍ବାଚନବେଳେ ୱାର୍ଡ ସଂଖ୍ୟା ୪୨ ହୋଇଛି। ମହାନଗର ନିଗମ ହେବା ପରେ ପ୍ରଚୁର ସରକାରୀ ଅନୁଦାନ ମିଳୁଛି। ଅବଶ୍ୟ ଠିକଣା ଭାବରେ ଅନୁଦାନ ବିନିଯୋଗର ବିଏମ୍ସି ବିଫଳ ହୋଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ (ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ) ଭଳି କେତେକ ବଡ଼ ଯୋଜନା ଦରଖଣ୍ଡିଆ ହୋଇ ରହିଛି। ବର୍ତ୍ତମାନର ନିର୍ବାଚିତ ମେୟରଙ୍କ ସମେତ କର୍ପୋରେଟରଙ୍କ ମଧ୍ୟରେ ସଂଖ୍ୟାଧିକ ଉଚ୍ଚଶିକ୍ଷିତ ଓ କର୍ମପ୍ରବଣ। ତେଣୁ ଏହି ୫ ବର୍ଷରେ ଆଖିଦୃଶିଆ ବିକାଶ ହେବା ନେଇ ମହାନଗରବାସୀ ଆଶାବାଦୀ ହୋଇଛନ୍ତି।
-ନରସିଂହ ସାହୁ