ବ୍ରହ୍ମପୁର ସିଟି ହସ୍ପିଟାଲ: ଅଲଟ୍ରାସାଉଣ୍ଡ୍‌ ପାଇଁ କ୍ଲିନିକ୍‌ ପଠାଉଛନ୍ତି ଡାକ୍ତର

ବ୍ରହ୍ମପୁର ଅଫିସ,୨୭ା୧୦: ରୋଗୀ ସେବାରେ ଅବ୍ୟବସ୍ଥାକୁ ନେଇ ବ୍ରହ୍ମପୁର ବଡ ମେଡିକାଲ ପରେ ଏବେ ସିଟି ହସ୍ପିଟାଲ ଚର୍ଚ୍ଚାକୁ ଆସିଛି। ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭିନ୍ନ କାରଣ ଯୋଗୁ ରୋଗୀ ଏହି ସୁବିଧାଗୁଡ଼ିକ ବିଷୟରେ ଜାଣିପାରୁ ନାହାନ୍ତି। ଏପରିକି ରୋଗୀଙ୍କୁ କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ପରୀକ୍ଷା ପାଇଁ ପଠାଯାଉଥିବା ଅଭିଯୋଗ ହୋଇଛି। ବୁଧବାର ସିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ଅଲଟ୍ରାସାଉଣ୍ଡ୍‌ କରିବା ପାଇଁ ଘରୋଇ କ୍ଲିନିକକୁ ପଠାଇଥିବା ଅଭିଯୋଗ ଆସିଛି। ସନ୍ତୋଷ କୁମାର ପ୍ରଧାନ ତାଙ୍କର ଗଭର୍ବତୀ ସ୍ତ୍ରୀ’ ଙ୍କୁ ବୁଧବାର ସିଟି ହସ୍ପିଟାଲ୍‌ ଆଣିଥିଲେ। ଡାକ୍ତର ଦେଖିବା ପରେ ଘରୋଇ କ୍ଲିନିକରେ ଅଲଟ୍ରାସାଉଣ୍ଡ୍‌ କରିବା ପାଇଁ ସନ୍ତୋଷଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ଡାକ୍ତର କହିଥିବା କ୍ଲିନିକକୁ ଯାଇ ସନ୍ତୋଷ ତାଙ୍କ ସ୍ତ୍ରୀଙ୍କ ଅଲଟ୍ରାସାଉଣ୍ଡ୍‌ କରିଥିଲେ। ଏଥିପାଇଁ ତାଙ୍କୁ ୧ହଜାର ୫୦ଟଙ୍କା ଦେବାକୁ ପଡ଼ିଥିବା ସେ କହିଛନ୍ତି। ସିଟି ହସ୍ପିଟାଲରେ ଏହି ପରୀକ୍ଷା ମାଗଣାରେ ହେଉଛି। ଅଥଚ ଡାକ୍ତର ତାଙ୍କୁ ହସ୍ପିଟାଲରେ ପରୀକ୍ଷା କରିବାକୁ ନ କହି କ୍ଲିନିକକୁ ପଠାଇଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଉମା ଶଙ୍କର ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ଆମ ନିକଟରେ ଅଭିଯୋଗ ହୋଇଛି। ରୋଗୀଙ୍କ ଅଲଟ୍ରା ସାଉଣ୍ଡ ସିଟି ହସ୍ପିଟାଲରେ ନ କରି ବାହାର କ୍ଲିନିକରେ କରିବା ପାଇଁ ଡ଼ାକ୍ତର କାହିଁକି ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ ଜାରି ରହିଛି। ଅନ୍ୟପଟେ ସମ୍ପୃକ୍ତ ଡ଼ାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ସେ କହିଛନ୍ତି।