ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି। ମଣିଷ କେତେ ଚିନି ଖାଏ ଏବଂ ମିଠା ସ୍ବାଦଯୁକ୍ତ ଖାଦ୍ୟ ପ୍ରତି କିଭଳି ଲାଳସା ରହିଥାଏ ସେସବୁ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କେତେକ ବ୍ୟକ୍ତି ବାରମ୍ବାର ମିଠା ଖାଇବାକୁ ପସନ୍ଦ କରନ୍ତି। ମାତ୍ର ଅତ୍ୟଧିକ ମିଠା ଖାଇବା ଦ୍ୱାରା ମେଦବହୁଳତା ଏବଂ ଟାଇପ-୨ ଡାଇବେଟିସ୍ ପରି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି କାର୍ଭର ମେଡ଼ିସିନ୍ କଲେଜର ସ୍ନାୟୁ ବିଜ୍ଞାନ ଏବଂ ଫାର୍ମାକୋଲୋଜିର ସହଯୋଗୀ ପ୍ରଫେସର ମାଥ୍ୟୁ ପୋଥଫ୍ କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଗବେଷଣାରେ ଫାଇବ୍ରୋବ୍ଲାଷ୍ଟ ଗ୍ରୋଥ୍ ଫ୍ୟାକ୍ଟର-୨୧(ଏଫ୍ଜିଏଫ୍-୨୧) ହରମୋନ୍ର କାର୍ଯ୍ୟ ପ୍ରଣାଳୀ ଉପରେ ବିସ୍ତୃତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏହି ହରମୋନ୍ ଶରୀରର ଶକ୍ତି ସନ୍ତୁଳନ, ଓଜନ ନିୟନ୍ତ୍ରଣ ଏବଂ ଇନସୁଲିନ କ୍ଷରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ହରମୋନ ମସ୍ତିଷ୍କରେ କାର୍ଯ୍ୟ କରିଥାଏ। ଏହା ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟ ଖାଇବାର ଇଛାକୁ ନିୟନ୍ତ୍ରିତ କରେ ବୋଲି ଡେନମାର୍କର କୋପେନହେଗେନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଥ୍ୟୁ ଗିଲମ୍ ସୂଚନା ଦେଇଛନ୍ତି। ପୂର୍ବରୁ ପୋଥଫ ଏବଂ ତାଙ୍କ ସହକର୍ମୀମାନେ ଗବେଷଣା କରି ଜାଣିପାରିଥିଲେ ଯେ, ମିଠା ଖାଦ୍ୟର ମାତ୍ରା ବୃଦ୍ଧି ଯୋଗୁ ଲିଭରରେ ଏଫ୍ଜିଏଫ୍-୨୧ ତିଆରି ହୋଇଥାଏ। ଏସମ୍ପର୍କରେ ସେଲ ମେଟାବୋଲିଜିମ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଫ୍ଜିଏଫ୍-୨୧ ମସ୍ତିଷ୍କରେ ଗ୍ଲୁଟାମାଟେରଜିକ ନ୍ୟୁରନଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ମଣିଷ ମନରେ ମିଠା ଓ ସ୍ବାଦଯୁକ୍ତ ଖାଦ୍ୟର ଲାଳସା କମ୍ ଅବା ବେଶୀ ହୋଇଥାଏ। ସେହିପରି ଭେଣ୍ଟ୍ରୋମେଡିଆଲ ହାଇପୋଥାଲାମସରେ ଏହି ନିର୍ଦ୍ଦିଷ୍ଟ ନ୍ୟୁରନକୁ ଏଫ୍ଜିଏଫ୍-୨୧ ପ୍ରଭାବିତ କରିଥାଏ। ଫଳରେ ମିଠାରେ ଥିବା ଗ୍ଲୁକୋଜ ପ୍ରତି ନ୍ୟୁରନ ଗୁଡ଼ିକର ସମ୍ବେଦନଶୀଳତା ନିୟନ୍ତ୍ରିତ ହୋଇଥାଏ ବୋଲି ଗବେଷକ କହିଛନ୍ତି।