କରୋନାରୁ ମସ୍ତିଷ୍କ ସମସ୍ୟା

ଲଣ୍ଡନ,୧୦ା୭(ପି.ଟି.):କୋଭିଡ୍‌-୧୯ ସହ ଷ୍ଟ୍ରୋକ୍‌, ଉନ୍ମାଦନା ଓ ଅନ୍ୟ ନ୍ୟୁରୋଲୋଜିକାଲ ଜଟିଳତାର ସମ୍ପୃକ୍ତି ରହିଛି। ଅତ୍ୟଧିକ କରୋନା ସଂକ୍ରମିତ ଅଧିକାଂଶ ଦେଶରୁ ଏଭଳି ଖବର ଆସିଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। କରୋନା ରୋଗୀ ସାଧାରଣତଃ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ଜ୍ୱର, କାଶ ଆଦି ହୋଇଥାଏ। ତେବେ ଲାନ୍‌ସେଟ୍‌ ନ୍ୟୁରୋଲୋଜିର ଅଧ୍ୟୟନ ଅନୁଯାୟୀ କରୋନା ରୋଗୀଙ୍କଠାରେ ଦ୍ୱନ୍ଦ୍ୱରେ ପଡ଼ିବା, ଷ୍ଟ୍ରୋକ୍‌, ମସ୍ତିଷ୍କ ଓ ସ୍ପାଇନାଲ କର୍ଡରେ ପ୍ରଦାହ ଏବଂ ଅନ୍ୟାନ୍ୟ ସ୍ନାୟବିକ ରୋଗ ଦେଖାଦେଇଥାଏ। ବ୍ରିଟେନରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଉପରେ ଗବେଷକମାନେ ଅଧ୍ୟୟନ କରି ଏହା ଜାଣିବାକୁ ପାଇଛନ୍ତି। କୋଭିଡ୍‌ ସହିତ ସ୍ନାୟବିକ ଏବଂ ମାନସିକ ରୋଗ ଆଦି ଜଟିଳତାର ସମ୍ପୃକ୍ତି ରହୁଥିବା ସେମାନେ କହିଛନ୍ତି। ବିଭିନ୍ନ ଦେଶର ୧୦୦୦ ରୋଗୀଙ୍କଠାରେ ମସ୍ତିଷ୍କ, ସ୍ପାଇନାଲ କର୍ଡ ଏବଂ ସ୍ନାୟୁ ରୋଗ ଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ତେଣୁ ସାରା ବିଶ୍ୱରେ ବହୁସଂଖ୍ୟାରେ କରୋନା ରୋଗୀ ଏଭଳି ଜଟିଳତାର ସାମ୍‌ନା କରୁଥିବା ଲିଭରପୁଲ୍‌ ୟୁନିଭର୍ସିଟିରୁ ଏ ସମ୍ପର୍କିତ ଅଧ୍ୟୟନ କରିଥିବା ସୁଜାନାହ ଲାଣ୍ଟ କହିଛନ୍ତି। ସେହିପରି କରୋନା ରୋଗୀଙ୍କଠାରେ ଦେଖାଦେଉଥିବା ଅନ୍ୟ ଏକ ଜଟିଳତା ହେଲା ଏନ୍‌ସେଫାଲାଇଟ୍ସ। ଏଥିରେ ମସ୍ତିଷ୍କରେ ଜ୍ୱାଳା ହେବା ସହ ଫୁଲିଯାଇଥାଏ। କୋଭିଡ୍‌-୧୯ ଏନ୍‌ସେଫାଲାଇଟ୍ସ ଓ ଅନ୍ୟାନ୍ୟ ମସ୍ତିଷ୍କ ସମସ୍ୟା ସୃଷ୍ଟି କରିପାରେ ବୋଲି ଡାକ୍ତରମାନେ ସ୍ବୀକାର କରିଛନ୍ତି। ବିଭିନ୍ନ ଦେଶରେ ଏଭଳି ରୋଗୀ ଥିଲେ ମଧ୍ୟ ଅଧିକାଂଶ ରିପୋର୍ଟରେ ସବିଶେଷ ବିବରଣୀ ନ ଥିବା ବୈଜ୍ଞାନିକମାନେ କହୁଛନ୍ତି। ସମ୍ପୂର୍ଣ୍ଣ ଚିତ୍ର ପାଇବାକୁ ହେଲେ ବିଭିନ୍ନ ଅଞ୍ଚଳର ରୋଗୀଙ୍କର ବ୍ୟକ୍ତିଗତ ତଥ୍ୟକୁ ଏକତ୍ର କରିବାକୁ ପଡ଼ିବ ବୋଲି ସେମାନେ ମତ ଦେଇଛନ୍ତି।

Share