ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ଉଷ୍ମତା

ଝାରସୁଗୁଡ଼ା ଅଫିସ,୧୦ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୧ତାରିଖ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ରହିଛି। ଇତିମଧ୍ୟରେ ୪ ରାଜନୈତିକ ଦଳ ବିଧିବଦ୍ଧ ଭାବେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡିରୁ ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି, ଭାଜପାରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, କଂଗ୍ରେସରୁ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ରୁ ରମେଶ ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ପରିଚିତ ଚେହେରା ହୋଇଥିବାରୁ ନିଶ୍ଚିତଭାବେ ନିର୍ବାଚନ ପ୍ରତିଯୋଗିତା ଜୋର୍‌ଦାର ହେବ ବୋଲି ରାଜନୈତିକ ବିଶାରଦଙ୍କ ମଧ୍ୟରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ୨ଦିନ ବାକି ରହିଥିବାବେଳେ ଏକମାତ୍ର ସିପିଆଇ ପ୍ରାର୍ଥୀ ତ୍ରିପାଠୀ ସୋମବାର ତାଙ୍କ ସମର୍ଥକଙ୍କ ସହ ରିଟର୍ଣ୍ଣି ଅଫିସର ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାକି ୩ ପ୍ରମୁଖ ଦଳ ନାମାଙ୍କନପତ୍ର ଶେଷ ତାରିଖରେ ଦାଖଲ କରିବେ ବୋଲି ଶୁଣିବାକୁ ମିଳୁଛି। ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଲଢେଇ ପାଇଁ ବିଭିନ୍ନ ରାଜନୈତିକ ଦଳ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଅନ୍ୟପକ୍ଷେ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନକୁ ନେଇ କିଛି ଦଳରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ସମାଧାନ କରିବା ପାଇଁ ନେତୃବୃନ୍ଦଙ୍କ ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏହି ଅସନ୍ତୋଷ ପ୍ରାର୍ଥୀଙ୍କ ବିଜୟରେ ବାଧା ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Share