ବ୍ରଜରାଜନଗର ଉପନିର୍ବାଚନ: ୭୧.୯% ମତଦାନ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ,୧ା୬: ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ (ଇଭିଏମ୍‌)ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ମତଦାନ ୬୯ ପ୍ରତିଶତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଝଡ଼ବର୍ଷା ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ଭୋଟ ଗ୍ରହଣ ଶେଷହେବା ପରେ ମତଦାନ ହାର ୭୧.୯% ହୋଇଥିବା ଝାରସୁଗୁଡ଼ା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ସୂଚନାଥାଉକି, ସକାଳୁ ୩ଟି ଇଭିଏମ୍‌ରେ ତ୍ରୁଟି ଦେଖାଯାଇଥିଲା। ପରେ ଏକ ବୁଥ୍‌ରେ ସମସ୍ୟା ଦେଖାଦେଇଥିଲା। ୩ଟି ଲେଖାଏ ବାଲଟ ୟୁନିଟ୍‌ ଓ କଣ୍ଟ୍ରୋଲ ୟୁନିଟ୍‌ ପରିବର୍ତ୍ତନ କରାଯାଇଛି। ତେବେ କୌଣସି ସ୍ଥାନରେ ହିଂସା ହୋଇନାହିଁ। ସମସ୍ତ ବୁଥ୍‌ରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି। ୨୦୧୯ରେ ବ୍ରଜରାଜନଗର ବିଧାନସଭାରେ ମତଦାନ ହାର ୬୮ ପ୍ରତିଶତ ହୋଇଥିଲା। ଏଥର ମତଦାନ ଗତ ଥରକୁ ଟପିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ନିର୍ବାଚନରେ ମୋଟ ୨,୧୫,୮୭୮ ଜଣ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଆଇଏଏସ୍‌ ମାଧବୀ କଟରିଆ, ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସରୋଜ କୁମାର ସାମଲ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଏସ୍‌ପି ରାହୁଲ ଜୈନ ପ୍ରମୁଖ ବିଭିନ୍ନ ବୁଥ୍‌ ପରିଦର୍ଶନ କରି ଏହାର ତଦାରଖ କରିଥିଲେ। ମତଦାନ ଶେଷ ହେବା ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ମେଶିନକୁ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି। ଆସନ୍ତା ଜୁନ୍‌ ୩ ତାରିଖରେ ଭୋଟ ଗଣତି ହେବ। ସେହିଦିନ ମତଦାତା କାହା ମୁଣ୍ଡରେ କଳସ ଢାଳିଛନ୍ତି ତାହା ଜଣାପଡ଼ିବ।

Share