ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହେବେ କିଶୋର ପଟେଲ

ଝାରସୁଗୁଡା ଅଫିସ୍‌,୬।୫: ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥିନେଇ ରାଜ୍ୟସ୍ତରୀୟ ଚୟନ କମିଟି ଶୁକ୍ରବାର ସର୍ବସମ୍ମତିକ୍ରମେ ଦଳର ବରିଷ୍ଠନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ନାମ ଘୋଷଣା କରିଛି। ଏହାକୁ ଜିଲା କଂଗ୍ରେସ କମିଟି,ଟାଉନ କଂଗ୍ରେସ କମିଟି ଓ ବ୍ଲକ୍‌ କଂଗ୍ରେସ କମିଟି ସ୍ବାଗତ କରିଛି।

ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ୫ଜଣିଆ ଚୟନ କମିଟିରେ ଝାରସୁଗୁଡା ଜିଲା ଗ୍ରସ୍ତରେ ଆସିଥିଲା। ଏହି କମିଟିର ଅଧ୍ୟକ୍ଷ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ, ଝାରସୁଗୁଡା ଜିଲା ସଭାପତି ଭରତ ଅବସ୍ତି, ସମ୍ବଲପୁର ଜିଲା ସଭାପତି ଅଶ୍ୱିନୀ ଗୁରୁ, ସୁନ୍ଦରଗଡ ଜିଲା ସଭାପତି ରାଧାମାଧବ ତ୍ରିପାଠୀ, ବରଗଡ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ଦେବତା ପ୍ରମୁଖ ରହିଥିଲେ। ଏହି ପରିପ୍ରେକ୍ଷୀରେ କମିଟି ଅଧ୍ୟକ୍ଷ ବାବୁଙ୍କ ଅଧ୍ୟକ୍ଷତାରେ ବେଲପାହାଡ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ କର୍ମକର୍ତାଙ୍କ ମଧ୍ୟରେ ଆଲୋଚନା ହୋଇ କିଶୋରଙ୍କ ନାମ ଆଗତ ହୋଇଥିଲା। ଏହାପରେ ସର୍ବସମ୍ମତିକ୍ରମେ ଦଳର ପ୍ରାର୍ଥୀଭାବେ ତାଙ୍କ ନାମ ଷୋଷଣା କରାଯାଇଥିଲା ।

Share