ଆଜି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ

ଭୁବନେଶ୍ୱର,୩।୬(ବ୍ୟୁରୋ): ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶୁକ୍ରବାର ପୂର୍ବାହ୍ନ ୮ଟାରେ ଭୋଟ ଗଣନା କରାଯିବ। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିତ୍କାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ ମୋଟ ୧୪ ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ୪ ଜଣ କର୍ମଚାରୀ ନିୟୋଜିତ ହେବେ। ୨୦ ରାଉଣ୍ଡ ଗଣନା ହେବ। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣତି କରାଯିବ। ଏହାର ୩୦ ମିନିଟ୍‌ ପରେ ଅର୍ଥାତ ୮ଟା ୩୦ରେ ଇଭିଏମ୍‌ ଭୋଟଗଣତି ହେବ। ଗୋଟିଏ ବୁଥ୍‌ର ଭିଭିପିଏଟି ସ୍ଲିପ୍‌ଗୁଡ଼ିକୁ ଗଣାଯିବ। ଭୋଟଗଣତି କାର୍ଯ୍ୟ ନିମନ୍ତେ ୨୦ ମାଇକ୍ରୋ ଅବଜରଭର, ୨୦ କାଉଣ୍ଟିଂ ସୁପରଭାଇଜର, ୨୦ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟଗଣତି କାର୍ଯ୍ୟ ନିରୀକ୍ଷଣ କରିବା ପାଇଁ ୬୩ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି। ଭୋଟ ଗଣନା କାର୍ଯ୍ୟକୁ ଜନସାଧାରଣ htts//results.ecoigov.inରେ ଦେଖି ପାରିବେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଗଣନା କେନ୍ଦ୍ର ନିକଟରେ ମିଡିଆ ସେଣ୍ଟର ଖୋଲାଯାଇଛି। ଗଣନା କେନ୍ଦ୍ର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିତ୍ମାନେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହାୟତାରେ ୨-୩ ଜଣ ଲେଖାଏ ପ୍ରବେଶ କରି ଖବର ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଲୋହାନୀ ସୂଚନା ଦେଇଛନ୍ତି। ନିର୍ବାଚନରେ ମୋଟ ୨,୧୫,୮୭୮ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

Share