ଝାରସୁଗୁଡା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତରେ ଲାଗିଛନ୍ତି। ଏଥିମଧ୍ୟରେ ବିଜେଡି ଦଳ ନାରୀଶକ୍ତିକୁ ଭୋଟ ପୁଞ୍ଜିଭାବେ ଗ୍ରହଣକରି ନିର୍ବାଚନରେ ବିଜୟୀ ହେବା ପାଇଁ ଆଶା ରଖିଛି । ଏହି ପରିପ୍ରେକ୍ଷୀରେ ବିଜେଡି ମହିଳାମୋର୍ଚ୍ଚା ତରଫରୁ ନିର୍ବାଚନ ପ୍ରଚାର ପୂର୍ବରୁ ବେଲପାହାଡ ସହରର ଏକ ହୋଟେଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି, କଟକ ମେୟର ତଥା ପୂର୍ବତନ ଏମପି ସୁବାସ ସିଂ, ଉପପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡିଆ, ଜୟ କୁମାରୀ ପଟେଲ, ସାଧନା ସାମନ୍ତରାୟ, ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ବରୀ ତିହିରିଆ, ଜିଲା ପରିଷଦ ପୁଷ୍ପାଞ୍ଜଳୀ ସେଠ ପ୍ରମୁଖ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇଥିଲେ। ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଅଞ୍ଚଳର ବିକାଶ ପାଇଁ ବହୁ ସ୍ବପ୍ନ ଦେଖିଥିଲେ। ତାଙ୍କର ସେହି ଅଧୁରା ସ୍ବପ୍ନକୁ ପୂରଣ କରିବାପାଇଁ ସେ ଚେଷ୍ଠା କରିବେ ବୋଲି ଦଳୀୟ ପ୍ରାର୍ଥୀନୀ ତଥା ସ୍ତ୍ରୀ ଅଳକା ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି।