ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ

ଲଖନପୁର, ୨।୯(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଏକସଙ୍ଗେ ଚଢାଉ କରାଯାଇଛି। ଏଥି ମଧ୍ୟ ବ୍ରଜରାଜନଗର ପୌର କାର୍ଯ୍ୟାଳୟ, ଝାରସୁଗୁଡା ମଙ୍ଗଳ ବଜାର ସ୍ଥିତ ସରକାର ବାସଭବନ, ଝାରସୁଗୁଡା ସ୍ଥିତ ବଢେଇମୁଣ୍ଡା କୋଠା, ବେଲମୁଣ୍ଡା ପୈତୃକ ବାସଭବନ, ସୁନ୍ଦରଗଡ ଜିଲା କାଲୋବାହାଲ ଶ୍ବଶୁର ଘର ଓ ସମାସିଂହା ସ୍ଥିତ ନିର୍ମାଣଧୀନ ପେଟ୍ରୋଲ ପମ୍ପ ଆଦି ରହିଛି। ଏହି ଚଢାଉ ସମ୍ବଲପୁର ସ୍ପେସାଲ ଭିଜିଲାନ୍ସ କୋର୍ଟ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି। ଏଥିରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା,ବରଗଡ଼ ଓ ସୋନପୁର ଆଦି ଭିଜିଲାନ୍ସ ବିଭାଗର ୪୦ରୁ ଊଦ୍ଧର୍‌ବ ଅଧିକାରୀ ଓ କର୍ମଚାରୀମାନେ ରହିଛନ୍ତି। ଏହି ଚଢାଉ ସକାଳ ୬ ଟାରୁ ଆରମ୍ଭ ହୋଇଛି। ଏଥି ମଧ୍ୟରେ ଭିଜିଲାନ୍ସ ବିଭାଗ ତରଫରୁ ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଛି । ଖବରଲେଖାଯିବା ସୁଦ୍ଧା ଏସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ।

Share