ନାମୀ ବ୍ରାଣ୍ଡ୍‌ରେ ନକଲି ପୋଷାକ

ବଲାଙ୍ଗୀର ଅଫିସ,୩୧ା୮(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ବୁଧବାର ସହରର ଲଖାନୀ ନ୍ୟୁ ଗାର୍ମେଣ୍ଟସ୍‌ରେ ଚଢ଼ାଉକରି ପ୍ରାୟ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ବ୍ରାଣ୍ଡେଡ୍‌ ରେଡିମେଡ୍‌ ଲୁଗାପଟା ଜବତ କରିଛି। ଏଥିସହ ଦୋକାନ ମାଲିକ ରାଜେଶ କୁମାର ଲଖାନୀ (୫୩)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ରାୟପୁରରୁ ବଲାଙ୍ଗୀରକୁ ନକଲି କମ୍ପାନୀର ଲୁଗାପଟା ବିପୁଳ ମାତ୍ରାରେ ଅଣାଯାଇ ସେଥିରେ ବ୍ରାଣ୍ଡେଡ୍‌ କମ୍ପାନୀର ଲୋଗୋ ଲଗାଯାଇ ଗ୍ରାହକଙ୍କୁ ଲୁଟ୍‌ କରାଯାଉଛି ବୋଲି ଏସ୍‌ଡିପିଓ ତୋଫାନ ବାଗ ଟାଉନ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ମୁମ୍ବାଇରୁ ଆସିଥିବା ମେସର୍ସ ନେତ୍ରିକା କନ୍‌ସଲ୍‌ଣ୍ଟିଂ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଜଣେ ସ୍ବୀକୃତିପ୍ରାପ୍ତ ଅଧିକାରୀ ଦୀପେଶ ଗୁପ୍ତା ବୁଧବାର ଟାଉନ୍‌ ଥାନାକୁ ଆସି ବ୍ରାଣ୍ଡେଡ୍‌ ଲୁଗାପଟା ବେପାରରେ କପିରାଇଟ୍‌ ଉଲ୍ଲଂଘନ କରାଯାଉଥିବା ଲିଖିତ ଭାବେ ଅଭିଯୋଗ କରିଥିଲେ। ଏସ୍‌ପି ଋଷିକେଶ ଖିଲାରୀ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ଏହାରି ଭିତରେ ଆନ୍ତଃ ରାଜ୍ୟ ରାକେଟ୍‌ ସକ୍ରିୟ ଥିବା ଅଭିଯୋଗକୁ ଭିତ୍ତିକରି ଏକ ସ୍ବତନ୍ତ୍ର ପୋଲିସ ଅନୁସନ୍ଧାନ ଟିମ୍‌ ଗଠନ କରିଥିଲେ। ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ ଗାନ୍ଧୀନଗର ବାଇପାସ୍‌ ନିକଟରେ ଥିବା ଲଖାନୀ ଗାର୍ମେଣ୍ଟସ୍‌୍‌ ଗୋଦାମରେ ଚଢ଼ାଉ କରିଥିଲେ। ସେଠାରେ ଥିବା ୩୪୬ଟି ଲେଭିସ୍‌ ଷ୍ଟ୍ରାଉସ୍‌ ଜିନ୍ସ, ୫୦୦ଟି ଅଣ୍ଡର ଆରମର ଟ୍ରାକ୍‌ପ୍ୟାଣ୍ଟ ଓ ୪୧୦ଟି କେଲଭିନ୍‌ କି୍ଳନ୍‌ ଜିନ୍ସ ଜବତ କରିଥିଲେ। ଜବତ ଗାର୍ମେଣ୍ଟସ୍‌ର ମୂଲ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ହେବ ବୋଲି ଏସ୍‌ଡିପିଓ ବାଗ ସୂଚନା ଦେଇଛନ୍ତି। ରାୟପୁରରୁ ନକଲି ବ୍ରାଣ୍ଡର ଲୁଗାପଟା କିଣି ବ୍ରାଣ୍ଡେଡ୍‌ କମ୍ପାନୀର ଲେବୁଲ ଲଗାଇ ଗ୍ରାହକଙ୍କୁ ବିକ୍ରି କରୁଥିଲେ।

ଗୋଟିଏ ପ୍ୟାଣ୍ଟ ବା ଶାର୍ଟରୁ ସେମାନେ ୧୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମୁନାଫା କମାଉଥିଲେ ବୋଲି ଅଭିଯୋଗକାରୀ ଗୁପ୍ତା କହିଛନ୍ତି। ଅଭିଯୁକ୍ତ ରାଜେଶ କୁମାର ଲଖାନୀଙ୍କ ଭୀମ ଭୋଇ ମେଡିକାଲ କଲେଜରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ବଲାଙ୍ଗୀର ସହରରେ ଅନେକ ଲୁଗା ବ୍ୟବସାୟୀ ଏଭଳି ନକଲି ବ୍ରାଣ୍ଡର କପଡ଼ା ବିକ୍ରି କରି ଜନସାଧାରଣଙ୍କୁ ଲୁଟ୍‌ କରିବା ସହ କୋଟି କୋଟି ଟଙ୍କାର ଟିକସ ଫାଙ୍କୁଛନ୍ତି। ଏଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

Share