Advertisement

ଦୁଃସାହସୀ ବାପିନା

କଥାରେ ଅଛି ଦୃଢ଼ ମନୋବଳ ଥିଲେ ‘ପଙ୍ଗୁ ଲଙ୍ଘୟତେ ଗିରିମ୍‌’। ଅର୍ଥାତ୍‌ ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସେ। ଜଣେ ଦୃଷ୍ଟିହୀନ ଭାବେ ଦୁନିଆର ଆଲୋକ ନ ଦେଖିପାରୁଥିଲେ ବି ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଆକାଶରେ ଉଡ଼ିବାଠାରୁ ଆରମ୍ଭ କରି ଦୁର୍ଗମ ପାହାଡ଼ ଶିଖର ଛୁଇଁବା ଭଳି ଦୁଃସାହସିକ କାର୍ଯ୍ୟ ଦ୍ୱାରା ସଭିଙ୍କ ମନରେ ଜଣେ ରିୟଲ ହିରୋ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ହୋଇଛନ୍ତି ସକ୍ଷମ। ସେ ହେଉଛନ୍ତି ନୟାଗଡ଼ ଜିଲା ଶରଣକୁଳ ଭିକାରୀପଡା ଗ୍ରାମର ମାଆ ଚଞ୍ଚଳା ଓ ବାପା ପ୍ରଫୁଲ୍ଲ ନାୟକଙ୍କ ପୁଅ ବାପିନା। ଜନ୍ମରୁ ସେ ଦୃଷ୍ଟିବାଧିତ। ଏଣେ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ନ ଥିଲା ସ୍ବଚ୍ଛଳ। ତଥାପି ଅଭାବ, ଅନଟନ ଓ ଅନେକ ବାଧାବିଘ୍ନ ସତ୍ତ୍ୱେ ସେ ନିଜକୁ ମାନସିକସ୍ତରରେ ଦୃଢ଼ ରଖି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ଏବଂ ପର୍ବତାରୋହୀ ଭାବେ ଇତିହାସ ସୃଷ୍ଟି କରିପାରିଛନ୍ତି। ଆଉ ନା କେବଳ ଦିବ୍ୟାଙ୍ଗମାନଙ୍କ ପାଇଁ ବରଂ ସମସ୍ତ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପିଲାଦିନୁ ଆକାଶରେ ଉଡ଼ିବାକୁ ନେଇ ସେ ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ପାରାଚ୍ୟୁଟ୍‌ରେ ଉଡ଼ିବା ତାଲିମ ମଧ୍ୟ ନେଲେ। ନିକଟରେ ବଙ୍ଗୋପସାଗରର ଚନ୍ଦ୍ରଭାଗା ମୁହାଣରେ ସମୁଦ୍ର ପତନଠାରୁ ୩୩୦ ଫୁଟ୍‌ ଉଚ୍ଚତାରେ ଏକାକୀ ଉଡ଼ି ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଚନ୍ଦକା- ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ୧୧୦୦ ଫୁଟ୍‌ ଉଚ୍ଚତା କନ୍ଦଳେଇ ପାହାଡ଼ରେ ସଫଳତାର ସହ ଚଢ଼ି ଶିଖରରେ ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଛନ୍ତି। କ୍ରିକେଟ୍‌ ଏବଂ ଫୁଟ୍‌ବଲ୍‌ ଖେଳିବାରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି। ଏହାବ୍ୟତୀତ ଦୃଷ୍ଟିହୀନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବୁଲ୍ସ ଆଇ’ର ସମ୍ପାଦକ ଭାବେ ସେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ପ୍ରଶଂସା ଓ ପୁରସ୍କାର। ନିଜର ସମସ୍ତ ସଫଳତାର ଶ୍ରେୟ ଅଭିଭାବକ, ସାମାଜିକ କର୍ମୀ ସୁଶାନ୍ତ ସାହୁ ଏବଂ କୋଚ ତ୍ରିଲୋଚନ ବେଉରାଙ୍କୁ ଦେଉଥିବା ବାପିନା ଚଳିତବର୍ଷ ସ୍ନାତକଡିଗ୍ରୀ ହାସଲ କରିବା ପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଗକୁ ଆହୁରି ଦୁଃସାହସିକ କାର୍ଯ୍ୟ କରି ଜଣେ ଦିବ୍ୟାଙ୍ଗ ବି ସବୁ କରିପାରିବେ ଏକଥା ପ୍ରମାଣିତ କରିବାର ଲକ୍ଷ୍ୟ ରଖି ଆଗେଇ ଚାଲିଛନ୍ତି।
– ସୁବାସ ଚନ୍ଦ୍ର ପ୍ରଧାନ

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share