Categories: ଖେଳ

ସାହସୀ ବକ୍ସର

୧୯୬୦ ରୋମ୍‌ ଅଲିମ୍ପିକ୍ସରେ ବକ୍ସିଂ ଚାମ୍ପିୟନ ହେବା ପରେ ମହମ୍ମଦ ଅଲୀ ଓରଫ୍‌ କ୍ୟାସିୟସ୍‌ କ୍ଲେ ପେସାଦାର ବକ୍ସିଂରେ ନିଜ ବିଜୟଯାତ୍ରା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ସେ ଜଣେ ଅଗ୍ରଣୀ ପେସାଦାର ବକ୍ସର ଭାବେ ସମଗ୍ର ବିଶ୍ୱରେ ପରିଚିତ ହୋଇ ସାରିଥିଲେ। ମହମ୍ମଦ ଅଲୀଙ୍କ ସହ ବକ୍ସିଂ (ମୁଷ୍ଟିଯୁଦ୍ଧ) ଲଢ଼ିବା ସାଧାରଣ ବକ୍ସରଙ୍କ ପାଇଁ ଥିଲା ଦୁଃସ୍ବପ୍ନ। ଏହିପରି ଏକ ସମୟରେ ଜଣେ ଭାରତୀୟ ବକ୍ସର ଅଲୀଙ୍କ ସହ ବକ୍ସିଂ ଲଢ଼ି ନିଜ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଏହି ଲଢ଼େଇ ୪ ରାଉଣ୍ଡ ବିଶିଷ୍ଟ ଥିଲା। ସେହି ଭାରତୀୟ ହେଭିୱେଟ୍‌ ବକ୍ସର ଜଣକ ହେଉଛନ୍ତି କୌର ସିଂ। ସେ ମହମ୍ମଦ ଅଲୀଙ୍କ ଆଗରେ ତିଷ୍ଠିପାରି ନ ଥିଲେ ବି ତାଙ୍କ ବୀରତ୍ୱ ପ୍ରକାଶ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ଘଟଣା। ୧୯୮୦ ମସିହାରେ ଅଲୀ-କୌର ବକ୍ସିଂ ଦିଲ୍ଲୀର ତତ୍କାଳୀନ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। କାୈର ମ୍ୟାଚ୍‌ ହାରିଯାଇଥିଲେ ମଧ୍ୟ ତାଙ୍କ ନାମ ମହମ୍ମଦ ଅଲୀଙ୍କ ପରି ଜଣେ ବିଶ୍ୱ ବିଖ୍ୟାତ ବକ୍ସରଙ୍କ ସହ ଯୋଡି଼ହୋଇରହିଛି।
ପଞ୍ଜାବର ସାଙ୍ଗ୍ରୁର ଜିଲା ଅନ୍ତର୍ଗତ ଖନାଲ୍‌ ଖର୍ଦ୍ଦ ଗ୍ରାମରେ ୧୯୪୯ ମସିହାରେ କାୈର ସିଂଙ୍କ ଜନ୍ମ। ସେ ଭାରତୀୟ ପ୍ରତିରକ୍ଷା ବିଭାଗରେ ଚାକିରି କରୁଥିଲେ। ସେଠାରେ ସେ ମୁଷ୍ଟିଯୁଦ୍ଧ କ୍ରୀଡ଼ାରେ ମନୋନିବେଶ କରିଥିଲେ। କୌର ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶ ଗ୍ରହଣକରି ହେଭିୱେଟ୍‌ ଶ୍ରେଣୀରେ ୪ଥର ସ୍ବର୍ଣ୍ଣପଦକ ହାସଲ କରିଥିଲେ। ୧୯୮୨ ଦିଲ୍ଲୀ ଏସିଆନ୍‌ ଗେମ୍ସରେ ତାଙ୍କ ବକ୍ସିଂ ମୁକାବିଲା ଚିରସ୍ମରଣୀୟ ହୋଇରହିବ। ସେ ହେଭିୱେଟ୍‌ ଶ୍ରେଣୀରେ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି ବିଶେଷ ସଫଳତା ପାଇଁ କୌରଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୩ରେ କୌରଙ୍କ ହାତକୁ ଆସିଥିଲା ପଦ୍ମଶ୍ରୀ ପୁରସ୍କାର। ୧୯୮୪ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ବକ୍ସିଂରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗନେଇ ୬ଟି ସ୍ବର୍ଣ୍ଣ ପଦକ ଜିଣିଥିଲେ। କୌର ୧୯୭୧ ଭାରତ-ପାକ୍‌ ଯୁଦ୍ଧ ଲଢ଼ିଥିଲେ। ସେନା ଚାକିରିରୁ ଅବସର ନେଲା ପରେ ନିଜ ଗ୍ରାମ ଖନାଲ୍‌ ଖର୍ଦ୍ଦରେ ରହୁଥିଲେ। ତାଙ୍କର ୨ ପୁଅ ଓ ଜଣେ ଝିଅ ଅଛନ୍ତି। ତେବେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ହରିୟାଣାର କୁରୁକ୍ଷେତ୍ରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ୭୪ବର୍ଷ ବୟସରେ ପ୍ରାଣ ହରାଇଥିଲେ। କୌର ସିଂଙ୍କ ବୀରତ୍ୱପୂର୍ଣ୍ଣ ବକ୍ସିଂ କ୍ୟାରିୟର ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇରହିବ।

Share