Categories: ଖେଳ

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରେ ବ୍ରାଜିଲ ବିଫଳ

କାରାକାସ୍‌,୧୩ା୨(ପି.ଟି.): ଫୁଟବଲର ପାଓ୍ବାର ହାଉସ୍‌ ବ୍ରାଜିଲ୍‌ ଫୁଟବଲ ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି। ସୋମବାର ଆର୍ଜେଣ୍ଟିନା ୨୩ ବର୍ଷରୁ କମ୍‌ ଦଳ ନିକଟରୁ ୧-୦ରେ ହାରିବା ସହ ଡିଫେଣ୍ଡିଂ ଚାମ୍ପିୟନ ବ୍ରାଜିଲ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି। ଦକ୍ଷିଣ ଆମେରିକୀୟ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରୁ ପାରାଗୁଏ ଓ ଆର୍ଜେଣ୍ଟିନା ଯୋଗ୍ୟତା ହାସଲ କରିଛନ୍ତି। ପାରାଗୁଏ ଟେବୁଲ ଶୀର୍ଷରେ ରହିଥିବା ବେଳେ ଆର୍ଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି। କାରାକାସ୍‌ର ଦ ବ୍ରିଗିଡୋ ଇରିଆର୍ଟେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆର୍ଜେଣ୍ଟିନା ପକ୍ଷରୁ ଲୁସିଆନୋ ଗୋଣ୍ଡୋଉ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ୭୮ତମ ମିନିଟ୍‌ରେ ଭାଲେଣ୍ଟିନୋ ବାର୍ସୋଙ୍କ କ୍ରସ୍‌କୁ ହେଡ୍‌ କରି ସେ ଏହି ଗୋଲ ଦେଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଭେନେଜୁଏଲାକୁ ୨-୦ରେ ପରାସ୍ତ କରି ପାରାଗୁଏ ଟେବୁଲ ଶୀର୍ଷରେ ରହିଥିଲା। ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ବ୍ରାଜିଲ ବିପକ୍ଷରେ ବିଜୟ ହାସଲ କରିଥିଲା ପାରାଗୁଏ। ଏହି ଦଳରେ କେହି ତାରକା ଖେଳାଳି ନ ଥିଲେ ମଧ୍ୟ ଏହାର ପ୍ରଦର୍ଶନରେ ଫରକ ପଡ଼ି ନ ଥିଲା। ଆର୍ଜେଣ୍ଟିନା କୋଚ୍‌ ଜାଭିୟର ମାସ୍କେରାନୋ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିବା ବେଳେ ବ୍ରାଜିଲ କୋଚ୍‌ ରାମୋନ ମେଞ୍ଜେସ୍‌ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଚାପ ସୃଷ୍ଟି କରିଥିଲେ ହେଁ ଗୋଲ କରିବାରେ ବିଫଳ ହୋଇଥିଲା।
୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବ୍ରାଜିଲ ଫୁଟବଲ ଦଳ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି। ୨୦୦୪ରେ ଶେଷ ଥର ପାଇଁ ଦଳ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲା। ୧୯୫୨ରେ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବ୍ରାଜିଲ ଦୁଇ ଥର ସ୍ବର୍ଣ୍ଣ ପଦକ ହାସଲ କରିଛି। ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସମର୍ଥ ହୋଇଥିଲା। ଏହା ବ୍ୟତୀତ ଦଳ ୩ ଥର ରୌପ୍ୟ ଓ ୨ ଥର ବ୍ରୋଞ୍ଜ ପଦକ ହାସଲରେ ସମର୍ଥ ହୋଇଛି। ସିନିୟର ବର୍ଗରେ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟ ୨ ଥର ଅଲିମ୍ପିକ୍ସ ଚାମ୍ପିୟନ ରହିଛି। ୨୦୦୪ ଏଥେନ୍ସ ଓ ୨୦୦୮ ବେଜିଂ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୨୦୦୮ରେ ଲିଓନେଲ ମେସି ଏହି ଦଳର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ ପାରାଗୁଏ ଏହାର ଦ୍ୱିତୀୟ ଅଲିମ୍ପିକ୍ସ ପଦକ ଲକ୍ଷ୍ୟରେ ରହିଛି। ଶେଷ ଥର ପାଇଁ ୨୦୦୪ରେ ଏହା ଆର୍ଜେଣ୍ଟିନା ନିକଟରୁ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଅଲିମ୍ପିକ୍ସ ଫୁଟବଲରେ ୨୩ ବର୍ଷରୁ କମ୍‌ ଦଳକୁ ଖେଳିବାର ସୁଯୋଗ ମିଳିଥାଏ।

Share