ବ୍ରାସିଲିଆ,୧୬।୭: ଲଗାଣ ବର୍ଷାରେ ବ୍ରାଜିଲରେ ଲ୍ୟାଣ୍ଡ କରୁଥିବା ସମୟରେ ଏକ ବିମାନ ରନଓ୍ବେରୁ ଖସି ଯାଇଛି। ଏହି ଘଟଣା ଗତ ବୁଧବାରର। ଯେତେବେଳେ ଲାତମ ଏୟାରଲାଇନ୍ସର ଫ୍ଲାଇଟ ନମ୍ବର ଏଲଏ ୩୩୦୦ ସକାଳ ପ୍ରାୟ ୯ଟା ୨୦ରେ ସାଓ ପାଓଲୋ-ଗୁଆରୁଲହୋସ ବିମାନ ବନ୍ଦରରେ ଟେକଅଫ କରିବା ପରେ ଫ୍ଲୋରିଅନୋପୋଲିସ-ହରସିଲିଓ ଲୁଜ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ପହଞ୍ଚିଥିଲା ସେତେବେଳେ ଏହି ଘଟଣା ଘଟିଥିଲା।
ବିମାନଟି ଖସି ଯିବାର ଘଟଣା ଜଣେ ଯାତ୍ରୀଙ୍କ ମୋବାଇଲ ଫୋନରେ ରେକର୍ଡ ହୋଇଯାଇଛି। ବିମାନଟି ରନଓ୍ବେରେ ଖସିଯିବା ପରେ ଯାତ୍ରୀମାନେ ଭୟଭିତ ହୋଇଯାଇଥିଲେ। ସମସ୍ତ ଯାତ୍ରୀ ପାଟି କରିବା ଆରମ୍ଭ କରିଥିଲେ। ହେଲେ କିଛିବାଟ ଖସିଯିବା ପରେ ବିମାନଟି ଅଟକି ଯିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି। ତୁରନ୍ତ ଏମରଜେନ୍ସି ସର୍ଭିସକୁ ଡକାଯାଇ ମୋବାଇଲ ସିଡି ମାଧ୍ୟମରେ ସମସ୍ତଙ୍କୁ ଓହ୍ଲାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଲାତମ ହେଉଛି ଲାଟିନ ଆମେରିକାର ଏକ ଅଗ୍ରଣୀ ଏୟାରଲାଇନ୍ସ ମଧ୍ୟରୁ ଅନ୍ୟତମ।