ବ୍ରାଜିଲ ରାଷ୍ଟ୍ରପତି କହିଲେ, ‘ଧନ୍ୟବାଦ ମୋଦି’

ନୂଆଦିଲ୍ଲୀ,୨୩।୧: ବ୍ରାଜିଲ ରାଷ୍ଟ୍ରପତି ଜେଏର୍‌ ବୋଲ୍ସୋନାରୋ ୨୦ ଲକ୍ଷ କୋଭିଡ-୧୯ ଟିକା ଦେବା ଲାଗି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁମ୍ବାଇ ବିମାନବନ୍ଦରରୁ ୨୦ ଲକ୍ଷ କୋଭିସିଲ୍ଡ ଟିକା ସହ ଏକ ବିମାନ ଶୁକ୍ରବାର ବ୍ରାଜିଲ ଅଭିମୁଖେ ଯାତ୍ରା କରିଛି। ଏହାକୁ ନେଇ ବୋଲ୍ସୋନାରୋ ଟୁଇଟ୍‌ କରି କହିଛନ୍ତି, ନମସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱସ୍ତରୀୟ ପ୍ରତିବନ୍ଧକକୁ ଦୂର କରିବା ଲାଗି ଭାରତ ଏକ ମହାନ ସହଭାଗୀ ହୋଇଥିବାରୁ ବ୍ରାଜିଲ ଗୌରବାନ୍ବିତ ମନେ କରୁଛି। ଭାରତରୁ ଟିକା ବ୍ରାଜିଲକୁ ରପ୍ତାନୀ କରି ଆମର ସହାୟତା କରିଥିବାରୁ ଧନ୍ୟବାଦ ବୋଲି ସେ କହିଛନ୍ତି।

ବୋଲ୍ସୋନାରୋ ଟୁଇଟ୍‌ରେ ହନୁମାନଙ୍କ ଏକ ଫଟୋ ଶେୟାର କରିଥିଲେ। ସେଥିରେ ପ୍ରଭୁ ହନୁମାନ ସଞ୍ଜିବନୀ ବୁଟି ସ୍ଥାନରେ ଭାରତରୁ ବ୍ରାଜିଲକୁ ଟିକା ନେଉଥିବା ଦେଖାଯାଇଥିଲା। ଚିତ୍ରଟି ରାମାୟଣ କାହାଣୀରୁ ଅନୁପ୍ରାଣିତ ହୋଇଛି। ପ୍ରଭୁ ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ସଞ୍ଜିବନୀର ଆବଶ୍ୟକତା ରହିଥିଲା। ଏଣୁ ପ୍ରଭୁ ହନୁମାନ ସମସ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣିଥିଲେ। ତେବେ ଫଟୋରେ ଧନ୍ୟବାଦ ଭାରତ ମଧ୍ୟ ଲେଖାଯାଇଥିଲା। ବ୍ରାଜିଲ ରାଷ୍ଟ୍ରପତିଙ୍କ ଟୁଇଟ୍‌ର ଜବାବରେ ମୋଦି କୋଭିଡ-୧୯ ସହ ଯୁଦ୍ଧରେ ବ୍ରାଜିଲର ବିଶ୍ୱସନୀୟ ସହଯୋଗୀ ହେବା ଭାରତ ପାଇଁ ସମ୍ମାନର କଥା ବୋଲି କହିଛନ୍ତି।

Share