ଦୋହା,୭।୧୨(ପି.ଟି.): କ୍ୱାର୍ଟର ଫାଇନାଲ ପ୍ରବେଶ ପରେ ବ୍ରାଜିଲ ଦଳର ଖେଳାଳି ମାନେ ନାଚିଥିଲେ। ଟୁର୍ନାମେଣ୍ଟ ପୂର୍ବରୁ ପ୍ରତି ଗୋଲ ପାଇଁ ଭିନ୍ନ ସେଲିବ୍ରେଶନର ପ୍ରତିଶ୍ରୁତି ଦେଇଥିବା ବ୍ରାଜିଲ ଦଳ ଏହାକୁ ପାଳନ କରି ଆସିଛି। ଦକ୍ଷିଣ କୋରିଆ ବିପକ୍ଷ ବୃହତ ବିଜୟ ପରେ ବ୍ରାଜିଲ ଦଳ ଏକାଠି ନାଚିଥିବା ବେଳେ କୋଚ ଟିଟେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବ୍ରାଜିଲ ପକ୍ଷରୁ ଭିନିସିଅସ୍ ଜୁନିୟର, ନେମାର, ରିଚାର୍ଲିସନ ଓ ଲୁକାସ୍ ପାକ୍ୱେଟା ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଏହା ସହ ପ୍ରତି ଗୋଲ ପାଇଁ ବ୍ରାଜିଲ ଦଳ ପକ୍ଷରୁ ଭିନ୍ନ ଭିନ୍ନ ଡ୍ୟାନ୍ସ ମୁଭ୍ ପ୍ରଦର୍ଶନ କରାଯାଇଥିଲା। ମ୍ୟାଚ ସମୟରେ ଭିନିସିଅସ୍ ଜୁନିୟର, ନେମାର, ରିଚାର୍ଲିସନ ଓ ଲୁକାସ୍ ପାକ୍ୱେଟା ଭିନ୍ନ ଭିନ୍ନ ସମୟରେ ସେଲିବ୍ରେଶନ ଡ୍ୟାନ୍ସ କରିଥିବା ବେଳେ ରିଚାର୍ଲିସନଙ୍କ ସହିତ ଟିଟେ ‘ପିଜନ୍’ ସେଲିବ୍ରେଶନ୍ କରିଥିଲେ। ମ୍ୟାଚ ଶେଷ ହେବା ପରେ ବ୍ରାଜିଲ କିମ୍ବଦନ୍ତୀ ରୋନାଲ୍ଡୋଙ୍କୁ ଡ୍ୟାନ୍ସ ମୁଭ୍ ଶିଖାଇଥିଲେ କୋଚ୍ ଟିଟେ। ତେବେ ବ୍ରାଜିଲର ଏହି ଡ୍ୟାନ୍ସ ସେଲିବ୍ରେଶନକୁ ଆୟର୍ଲାଣ୍ଡ ଫୁଟବଲ ଓ କିଛି ଭାଷ୍ୟକାରଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା।