ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଆମଦାନୀ ହୋଇଥିବା ଗହମ ପାଇଁ ରାଜ୍ୟ ସବସିଡି ହ୍ରାସ ପାଇବା ପରେ ଇରାନରେ ବିଭିନ୍ନ ପ୍ରକାରର ଅଟା ଭିତ୍ତିକ ଖାଦ୍ୟର ଦାମ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି।
ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସରକାଙ୍କେ ପକ୍ଷରୁ ଖାଇବା ତେଲ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭଳି ମୌଳିକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓ ଅନୁଯାୟୀ, ଇରାନର ଉତ୍ତର ସହର ରାଶଟ, କେନ୍ଦ୍ରୀୟ ସହର ଫରସାନ ଏବଂ ଉତ୍ତର-ପୂର୍ବ ସହର ନେଶାବୁରରେ ଏନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ରଏଟର୍ସ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ବିକ୍ଷୋଭକାରୀମାନେ ଚିତ୍କାର କରି କହୁଛନ୍ତି ରାଇସି, ଲଜ୍ଜା କର, ଦେଶ ବାହାରକୁ ପଳାଅ! ତେବେ, ଭିଡିଓର ସତ୍ୟତାକୁ ରଏଟର୍ସ ପକ୍ଷରୁ ଯାଞ୍ଚ କରା ଯାଇନାହିଁ।

ସ୍ଥାନୀୟ ସାଂସଦ ଅହମ୍ମଦ ଆୱାଇ ଆଇଏଲଏନଏ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ଖୁଜେସ୍ତାନର ତୈଳ ଉତ୍ପାଦନକାରୀ ସହର ଡାଜଫୁଲରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ ସୁରକ୍ଷା ବାହିନୀଙ୍କ ଦ୍ୱାରା ପ୍ରାୟ ୩୦୦ ପ୍ରଦର୍ଶନକାରୀଙ୍କୁ ଘଉଡ଼ା ଯାଇଥିଲା। ସେହିପରି ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ମୂଲ୍ୟ ବୃଦ୍ଧିକୁ ନେଇ ଅସନ୍ତୋଷର ପ୍ରଥମ ସଙ୍କେତରେ ଇରାନ ଗଣମାଧ୍ୟମ ଗତ ସପ୍ତାହରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିବା ରିପୋର୍ଟ କରିଥିଲା। ସରକାରଙ୍କ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସଭା ଏବଂ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେହିପରି ଭିଡିଓ ପ୍ରସାରିତ ନହେବା ପାଇଁ ସୋସିଆଲ ମିଡିଆରେ ଏକ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଥିଲା।

ଇଣ୍ଟରନେଟ ବ୍ଲକ ଅବଜରଭେଟୋରୀ ନେଟବ୍ଲକ୍ସ ଶନିବାର ରିପୋର୍ଟ କରିଛି ଯେ ଇରାନର ଇଣ୍ଟରନେଟ ସେବା ପ୍ରଦାନକାରୀ ମୋବିନେଟରେ ଘଣ୍ଟା ଘଣ୍ଟା ଧରି ସେବା ବ୍ୟାହତ ହୋଇଛି। ନେଟବ୍ଲକ୍ସ ଟୁଇଟରରେ କହିଛି ଯେ ବିରୋଧ ମଧ୍ୟରେ ଇରାନରେ ଇଣ୍ଟରନେଟ ସେବା ବ୍ୟାଘାତ ହୋଇଥିବା ରିପୋର୍ଟ ହୋଇଛି। ଦେଶରେ ଦରଦାମ ବୃଦ୍ଧି ପାଇଛି। ଏଥିପାଇଁ ପଡୋଶୀ ଦେଶ ଇରାକ ଏବଂ ଆଫଗାନିସ୍ତାନରେ ସବସିଡିଯୁକ୍ତ ଅଟା ଚୋରା ଚାଲାଣକୁ ଇରାନର ଅଧିକାରୀମାନେ ଦାୟୀ କରିଛନ୍ତି।

Share