
ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ତଥାପି ଏବେ ସେ ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରଠାରୁ ପଞ୍ଜାବୀ ସିନେମାଜଗତରେ ଶୋକର ଲହରୀ ଖେଳିଯାଇଛି। ହଂସରାଜ ହଂସଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କର ଦୁଃଖ ପ୍ରକାଶ କରୁଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହଂସରାଜଙ୍କ ପତ୍ନୀ ରେଶମ ଅପରାହ୍ନ ୧ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗାୟକଙ୍କ ପତ୍ନୀଙ୍କର ହୃଦରୋଗ ଥିଲା। କିଛି ସମୟ ପୂର୍ବରୁ ତାଙ୍କ ଶରୀରରେ ଏକ ଷ୍ଟଣ୍ଟ ମଧ୍ୟ ଲଗାଯାଇଥିଲା। ଏହା ସତ୍ତ୍ୱେ ଗାୟକଙ୍କ ପତ୍ନୀ ଅଧିକ ଦିନ ବଞ୍ଚି ପାରିଲେ ନାହିଁ। ରେଶମ କୌରଙ୍କ ଭାଇ ପରମଜିତ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ରେଶମ ଗତ ୫ ଦିନ ଧରି ହସ୍ପିଟାଲରେ ଥିଲେ। କିଛି ଦିନ ପୂର୍ବେ ତାଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ସେହି ସମୟରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ସେତେବେଳେ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ତେବେ ରେଶମଙ୍କ ଶେଷକୃତ୍ୟ ଆସନ୍ତାକାଲି ସକାଳ ୧୧ଟାରେ ଶାଫିପୁରରେ କରାଯିବ ବୋଲି ଜଣାପଡ଼ିଛି।
ଆପଣଙ୍କୁ କହି ରଖୁଛୁ ଯେ ପଞ୍ଜାବୀ ସିନେମା ବ୍ୟତୀତ ହଂସରାଜ ବଲିଉଡରେ ମଧ୍ୟ ନିଜର ପତିଆରା ବିସ୍ତାର କରିଛନ୍ତି। ସେ କଚ୍ଚେ ଧାଗେ, ବିଚ୍ଛୁ, ଯୋଡି ନଂ ୧ ଭଳି ଅନେକ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି। ଗୀତ ଗାଇବା ବ୍ୟତୀତ ହଂସରାଜ ରାଜନୀତିରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ପୂର୍ବରୁ ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଏମ୍ପି ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ଭାଜପା ଫରିଦକୋଟ ଲୋକ ସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା, ଯେଉଁଥିରେ ସେ ହାରିଯାଇଥିଲେ।