Categories: ଫୁରସତ

ପୁରୁଷଙ୍କୁ ସ୍ତନ କର୍କଟ

ଲଣ୍ଡନ: ସାଧାରଣତଃ ମହିଳାଙ୍କ ସ୍ତନ କର୍କଟ ହେବା ଶୁଣିଛେ। ହେଲେ ନିକଟରେ ଜଣେ ପୁରୁଷଙ୍କ ସ୍ତନ କର୍କଟ ହୋଇଥିବା ଜଣାପଡ଼ିଛି। ଫ୍ଲୋରିଡ଼ାର ବାସିନ୍ଦା ୪୩ ବର୍ଷୀୟ ଜ୍ୟାକ୍‌ ୟାର୍‌ବ୍ରୋଗ୍‌ ୫ ବର୍ଷ ବୟସରେ ସାଙ୍ଗମାନଙ୍କ ସହ ପୋଖରୀରେ ପହଁରୁଥିଲେ। ସେତେବେଳେ ତାଙ୍କ ବାମ ଛାତିରେ କିଛି ଅନୁଭୂତ ହୋଇଥିଲା। ହେଲେ ତାହା ଏକ ଛୋଟ ଆଘାତ ବୋଲି ସେ ଭାବି ତାକୁ ଛାଡ଼ି ଦେଇଥିଲେ। ପରେ ତାହା ବଢ଼ି ବହୁ ବଡ଼ ଆକାର ପାଲଟିଗଲା। ଏହାପରେ ସେ ଡାକ୍ତରଙ୍କ ପାଖକୁ ଗଲେ। ସେଠାରେ ତାଙ୍କୁ ସ୍ତନ କର୍କଟ ହୋଇଥିବା ଡାକ୍ତର ଯାଞ୍ଚ ପରେ କହିଥିଲେ। ଏହା ୪ର୍ଥ ଷ୍ଟେଜରେ ପହଞ୍ଚିଥିଲା। ଡାକ୍ତର ସେହି କର୍କଟର ଅଂଶକୁ କାଟି ଦେଲେ। କେମୋଥେରାପି ପରେ ୩୬ରୁ ଅଧିକ ବିକିରଣର ଉପଚାର ହେଲା। ସେ ଏବେ ବି କର୍କଟ ସହ ଲଢୁଛନ୍ତି। ସେ ପ୍ରତି ୩ ସପ୍ତାହରେ ଥରେ କେମୋ ନେବା ସହ ବିଭିନ୍ନ ଔଷଧ ସେବନକରୁଛନ୍ତି। ଜ୍ୟାକ୍‌ କହିଛନ୍ତି, କର୍କଟକୁ ଲୁଚାଇବା ତାଙ୍କର ସବୁଠୁ ବଡ଼ ଭୁଲ୍‌ ଥିଲା। ସଙ୍କେତ ମିଳିବା ପରେ ବି ସେ ଡାକ୍ତରଙ୍କଠାରୁ ଲୁଚୁଥିଲେ। ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି ଅନୁସାରେ, ୨୦୨୩ରେ ୨୮୦୦ରୁ ଅଧିକ ଏପରି ଘଟଣା ଦେଖିବାକୁ ମିଳିଲାଣି। ସେଥିମଧ୍ୟରୁ ୫୩୦ ଜଣ ପୁରୁଷଙ୍କ ସ୍ତନ କର୍କଟରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପ୍ରତିବର୍ଷ ୩ ଲକ୍ଷ ମହିଳାଙ୍କ ସ୍ତନ କର୍କଟ ହେଉଥିବାବେଳେ ୪୩ ହଜାର ମହିଳାଙ୍କ ମୃତ୍ୟୁ ଘଟୁଛି। ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି ମୁତାବକ, ଖୁବ୍‌ଶୀଘ୍ର ଏହି ରୋଗ ଚିହ୍ନଟ ହୋଇପାରିଲେ ୯୯ ପ୍ରତିଶତ ଏହାର ନିରାକରଣ ହେବା ସମ୍ଭାବନା ରହିଛି।

Share