Categories: ଜାତୀୟ

ଭାରତରେ ସ୍ତନ କର୍କଟ ନେଉଛି ସର୍ବାଧିକ ଜୀବନ

ନୂଆଦିଲ୍ଲୀ, ୧୫।୧୦: ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍‌ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍‌ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା ସର୍ବାଧିକ ରହିଛି। ଆଇସିଏମ୍‌ଆର୍‌-ନ୍ୟାଶ୍‌ନାଲ ସେଣ୍ଟର ଫର୍‌ ଡିଜିଜ୍‌ ଇନ୍‌ଫର୍‌ମେଟିକ୍ସ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଇ-କ୍ୟାନ୍‌ସର ଜର୍ନାଲରେ ସୋମବାର ପ୍ରକାଶିତ ଏହି ଅଧ୍ୟୟନରେ ବ୍ରିକ୍ସ (ବ୍ରାଜିଲ, ରୁଷିଆ. ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକରେ କର୍କଟ ରୋଗଜନିତ ମୃତ୍ୟୁ, ଜୀବନ ଉପରେ ଏହାର ପ୍ରଭାବ ଆଦି ବିଭିନ୍ନ କ୍ଷେତ୍ରକୁ ବିଶ୍ଲେଷଣ କରାଯାଇଛି। ଅଧ୍ୟୟନ ଅନୁଯାୟୀ, ବ୍ରିକ୍ସ ଦେଶ ଗୁଡ଼ିକରେ କର୍କଟ ରୋଗର ପ୍ରଭାବ ଚିନ୍ତାଜନକ ରହିଛି। ବିଶ୍ୱରେ କର୍କଟଜନିତ ମୃତ୍ୟୁର କେବଳ ୪୨% କେବଳ ବ୍ରିକ୍ସ ଦେଶଗୁଡ଼ିକରୁ ରେକର୍ଡ ହେଉଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରୁ ରୁଷିଆରେ ସର୍ବାଧିକ ସଂଖ୍ୟାରେ କର୍କଟ ରୋଗୀ ରହିଛନ୍ତି। ତେବେ ମହିଳାଙ୍କ କ୍ଷେତ୍ରରେ ଚାଇନାକୁ ଛାଡ଼ି ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକରେ ସର୍ବାଧିକ ସଂଖ୍ୟାରେ ସ୍ତନ କର୍କଟ ରୋଗୀ ରହିଛନ୍ତି। ଚାଇନାରେ ଫୁସ୍‌ଫୁସ୍‌ କର୍କଟ ରୋଗରେ ସର୍ବାଧିକ ମହିଳା ପୀଡ଼ିତ ରହିଛନ୍ତି। ବ୍ରିକ୍ସ ଅନ୍ତର୍ଗତ କର୍କଟ ରୋଗରେ ପୀଡ଼ିତ ହୋଇ ରୁଷିଆରେ ସର୍ବାଧିକ ସଂଖ୍ୟାରେ ପୁରୁଷଙ୍କ ମୃତ୍ୟୁ ଘଟିଥିବାବେଳେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ମହିଳାଙ୍କର ମୃତ୍ୟୁ ଘଟୁଛି। ଭାରତକୁ ଛାଡ଼ି ଅନ୍ୟ ସମସ୍ତ ବ୍ରିକ୍ସ ଦେଶରେ ଫୁସ୍‌ଫୁସ୍‌ କର୍କଟ ରୋଗ ସର୍ବାଧିକ ଜୀବନ ନେଉଛି। ତେବେ ଭାରତରେ ସ୍ତନ କର୍କଟ ସର୍ବାଧିକ ଜୀବନ ନେଉଥିବା ଏହି ଅଧ୍ୟୟନ ପ୍ରକାଶ କରିଛି। ଆଗାମୀ ବର୍ଷଗୁଡ଼ିକରେ ଦକ୍ଷିଣ ଆଫ୍ରିକା ଏବଂ ଭାରତରେ ଉଭୟ ନୂତନ କର୍କଟ ମାମଲା ଓ କର୍କଟଜନିତ ମୃତ୍ୟୁ ସର୍ବାଧିକ ବୃଦ୍ଧି ଘଟିବ ବୋଲି ଏହି ଅଧ୍ୟୟନରେ ଗବେଷକମାନେ ଆକଳନ କରିଛନ୍ତି।

Share