ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର ଶବର କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ୍‌ ରାସବେଡ଼ା ପଞ୍ଚାୟତ ବନ୍ଧଗଡ଼ା ଗ୍ରାମର ରଘୁ ମାଦ୍ରି(୬୦)ଙ୍କୁ ୮ମାସ ତଳେ ଭାଲୁ ଆକ୍ରମଣ କରିଥିଲା। ରଘୁ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ସହାୟତା ନିମନ୍ତେ ବନ ବିଭାଗରେ ଆବେଦନ କରିଥିଲେ। ବନ ବିଭାଗ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ସରକାରୀ ସହାୟତା ଆସିଥିଲା। ତେବେ କୁଡୁମୁଲୁଗୁମ୍ମା ବନପାଳ ଅଧୀନରେ କାମ କରୁଥିବା ପାରାଓ୍ବାଚର ଅନନ୍ତରାମ ସହାୟତା ଟଙ୍କା ବାବଦକୁ ରଘୁଙ୍କୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିସହ ରଘୁଙ୍କୁ ବ୍ୟାଙ୍କକୁ ନେଇ ଫରେଷ୍ଟର ଏବଂ ରେଞ୍ଜର ଲାଞ୍ଚ ମାଗୁଥିବା କହି ୩୦ହଜାର ଟଙ୍କା ଆକାଉଣ୍ଟରୁ ଉଠାଇ ନେଇଥିଲେ। ପରେ ପୁଣି ୧୦ହଜାର ଟଙ୍କା ଦେବାକୁ ବାଧ୍ୟ କରିବା ସହ ନ ଦେଲେ ସମସ୍ତ ଟଙ୍କା ଫେରିଯିବ ବୋଲି ଧମକ ଦେଇଥିଲେ। ଏ ନେଇ ହିତାଧିକାରୀଙ୍କ ଅଭିଯୋଗ ପରେ ମାଲକାନଗିରି ଡିଏଫ୍‌ଓ ଘଟଣାର ତଦନ୍ତ କରିଥିଲେ। ଏସିଏଫ୍‌ ବିଭୂତି ଭୂଷଣ ବେହେରା ଘଟଣାସ୍ଥଳକୁ ଯାଇ ପଚାରି ବୁଝିଥିଲେ। ଏହି ଆଧାରରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସେହିପରି ଘଟଣା ସମ୍ପର୍କରେ ଜାଣି ନୀରବ ରହିଥିବାରୁ ବନପାଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

Share