Advertisement

ଲାଞ୍ଚ ମାମଲା: ପୂର୍ବତନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ, ୨୯ା୫: ଏକ ଲାଞ୍ଚ ମାମଲାର ବିଚାର କରି ସୋମବାର କନ୍ଧମାଳ ଜିଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ ଜଣେ ପୂର୍ବତନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ବୌଦ୍ଧ ଜିଲା ଖାଉଟି ଅଦାଲତର ପୂର୍ବତନ ଷ୍ଟେନୋ ମନ୍ମଥ କୁମାର ଗଡନାୟକ।

ବୌଦ୍ଧ ଜିଲା ଗିରସିଙ୍ଗ ଗ୍ରାମର ସତ୍ୟବାନ ପ୍ରଧାନଙ୍କ ବାପାଙ୍କ ନାମରେ ବିଦ୍ୟୁତ୍‌ ଉପଭୋକ୍ତା ନମ୍ବର ଥିଲା। ୨୦୧୧ରେ ୪୧ ହଜାର ୮୮୧ ଟଙ୍କାର ଗୋଟିଏ ବିଲ୍‌ ଆସିଥିଲା। ଏହାକୁ ନେଇ ସତ୍ୟବାନ ସେତେବେଳର ସାଉଥ୍‌କୋ ଡିଭିଜନକୁ ଯାଇ ଅଭିଯୋଗ କରିଥିଲେ। ଜିଲା ଖାଉଟି ଅଦାଲତରେ ଏକ ମାମଲା ରୁଜୁ ହୋଇଥିଲା। ଏପରିକି କୋର୍ଟଙ୍କ ଅର୍ଡର ଅନୁସାରେ ବିଲ୍‌ ସଂଶୋଧନ ହୋଇପାରିବ ବୋଲି ତାଙ୍କୁ କୁହାଯାଇଥିଲା। ସତ୍ୟବାନ ଖାଉଟି ଅଦାଲତ ଯାଇ ଷ୍ଟେନୋ ମନ୍ମଥଙ୍କୁ ଭେଟିଥିଲେ। କାମ ହୋଇଯିବ । ଏଥିପାଇଁ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ମନ୍ମଥ କହିଥିଲେ। ୩ ହଜାର ଟଙ୍କା ଦେବାକୁ ସତ୍ୟବାନ ରାଜି ହୋଇଥିଲେ। ହେଲେ ଏ ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ୨୦୧୯ ମାର୍ଚ୍ଚ ୧୮ରେ ସତ୍ୟବାନ ଟଙ୍କା ନେଇ ମନ୍ମଥଙ୍କୁ ଦେଇଥିଲେ। ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ପହଞ୍ଚି ଟଙ୍କା ଜବତ କରିବା ସହ ମନ୍ମଥଙ୍କୁ ଗିରଫ କରିଥିଲେ। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର୍‌ କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି. ରାମଦାସ ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share