ଲାଞ୍ଚ ମାମଲା: ପୂର୍ବତନ ମହିଳା ସରପଞ୍ଚଙ୍କୁ ୨ ବର୍ଷ ଜେଲ

ସୁନ୍ଦରଗଡ଼,୨୭।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ଗୁରୁବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କୁ ୨ବର୍ଷ ଜେଲ ସହ ୨ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ କୋର୍ଟ ତାଙ୍କ ରାୟରେ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ କୁଲବା ପଞ୍ଚାୟତର ଜୟନ୍ତୀ ପ୍ରଧାନ।

ଅଭିଯୋଗ ମୁତାବକ, ପୂର୍ବତନ ମହିଳା ସରପଞ୍ଚ ପ୍ରଧାନ ୨୦୧୦ରେ କୁଲବା ଗ୍ରାମର ଜଣେ ହିତାଧିକାରୀ ମେନକା ନାଏକଙ୍କ ନାମରେ ଅନ୍ନପୂର୍ଣ୍ଣା ଅନ୍ତ୍ୟୋଦୟ ଯୋଜନାରେ କାର୍ଡ କରାଇଦେବା ସକାଶେ ୨ହଜାର ଟଙ୍କା ଦାବି କରିଥିଲେ। ଏହି ସମ୍ପର୍କରେ ହିତାଧିକାରୀଙ୍କ ପୁଅ ପ୍ରତାପ ନାଏକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ସରପଞ୍ଚ ପ୍ରଧାନ ତାଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସୁନ୍ଦରଗଡ଼ ଭିଜିଲାନ୍ସ ୟୁନିଟର ପୂର୍ବତନ ଡିଏସ୍‌ପି ରାଧାକୃଷ୍ଣ କାନୁନ୍‌ଗୋ ଓ ରାଉରକେଲା ୟୁନିଟ ପୂର୍ବତନ ଇନ୍ସପେକ୍ଟର ଏସ୍‌. ଟିଗା ମାମଲାର ତଦନ୍ତକାରୀ ଅଫିସର ଥିଲେ। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ୟାମ ସୁନ୍ଦର ମିଶ୍ର ମାମଲା ପରିଚାଳନା କରୁଥିଲେ।

Share