Categories: ଫୁରସତ

ବିବାହକୁ ଆସିଲେନି ଅତିଥି, ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଲଗାଇଲେ ଯୁବତୀ

କାନବେରା,୨୩।୧୨: ଦେଶରେ ବିବାହ ଋତୁ ଆରମ୍ଭ ହୋଇ ସାରିଛି। ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ହଜାର ହଜାର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ବିବାହ ସମୟରେ ପୁରା ଘରେ ଖୁସିର ମାହୋଲ ଦେଖାଯିବା ସହ ବିଭିନ୍ନ ପ୍ରକାର ଖାଦ୍ୟର ମଧ୍ୟ ଆସର ଦେଖିବାକୁ ମିଳିଥାଏ। ମାସେ ଦୁଇମାସ ପୂର୍ବରୁ ଏଥିପାଇଁ ସବୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ। ତେବେ ଦେଖାଯାଏ କି, କିଛି ଅତିଥି ବିବାହ ସମୟରେ କିଛି ଜରୁରୀ କାମ ପଡିଯିବା ଯୋଗୁ ନିମନ୍ତ୍ରଣ ରକ୍ଷା କରିପାରନ୍ତି ନାହିଁ। ହେଲେ ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କ ସହ କିଛି ଏପରି ଘଟଣା ଘଟିଛି। ଯୁବତୀଜଣକ ନିଜ ବିବାହ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ କିଛି କାମ ପଡିଯିବା ଯୋଗୁ ବିବାହରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇଥିଲେ। ଏହାପରେ ଯୁବତୀଜଣକ ସେମାନଙ୍କ ଯାହା ଆତିଥ୍ୟ ଚର୍ଚ୍ଚା କରିଥିଲେ ତାହା ଶୁଣି ଆପଣ ତାଜୁବ ହୋଇଯିବେ।

ଏ ସମ୍ପର୍କରେ ଯୁବତୀଜଣକ ନିଜେ ଏକ ପୋଡକାଷ୍ଟରେ କହିଛନ୍ତି। ସେ କହିଛନ୍ତି, ବିବାହର ୧୮ମାସ ପୂର୍ବରୁ ବନ୍ଧୁବର୍ଗ ଓ ଅତିଥିଙ୍କୁ ନିମନ୍ତ୍ରଣ ପଠାଇଥିଲି। ଖାଦ୍ୟ ଅର୍ଡର ସରିଥିଲା। ଅତିଥିମାନଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସବୁ କାର୍ଯ୍ୟକ୍ରମ ପାଇଁ ୧୨,୪୪୬ ଡଲାର (୧୦ ଲକ୍ଷ ଭାରତୀୟ ଟଙ୍କା) ପେମେଣ୍ଟ କରିଥିଲି। ହେଲେ ବିବାହକୁ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ୧୦ଜଣ ଅତିଥି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ବୋଲି ମନା କରିଥିଲେ। ଶେଷ ମୂହୁର୍ତ୍ତରେ ଅନ୍ୟ ରାଜ୍ୟକୁ ଯାତ୍ରା କରିବାରେ ଅସୁବିଧା ହେବ ଏବଂ ଏଥିପାଇଁ ସେମାନଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ସେ କହିଥିଲେ। ଯେତେବେଳେ କି, ସେମାନେ ଆସିବେ ବୋଲି କଥା ଦେଇଥିଲେ।

ତେବେ ଏନେଇ ଅତିଥିଙ୍କୁ କ୍ଷତିପୂରଣ ଭରିବାକୁ ପଡିବ ବୋଲି ଯୁବତୀଜଣକ କହିଛନ୍ତି। ବର୍ତ୍ତମାନ ତାଙ୍କୁ ନିଜ ପକେଟରୁ ୧୩୩୬ଡଲାର ଅର୍ଥାତ ୧,୧୧,୦୭୬ଟଙ୍କାର କ୍ଷତି ଉଠେଇବାକୁ ପଡିବ।

Share