ବିବାହ ପୂର୍ବରୁ ଜିଲାପାଳଙ୍କ ନିକଟରେ ଏମିତି ଗୁହାରି କଲେ ଯୁବତୀ, ଛୁଟୁଛି ପ୍ରଶଂସାର ସୁଅ

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ଅଲୀଗଡ଼ରୁ ହୃଦୟକୁ ଛୁଇଁଗଲା ପରି ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବତୀ ନିଜ ବାହାଘରରେ ବରଯାତ୍ରୀ ଆସିବା ପାଇଁ ଗାଁକୁ ରାସ୍ତା ନ ଥିବାରୁ ସିଧା ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଯୁବତୀ ଜଣକ ଜିଲାପାଳଙ୍କୁ କହିଛନ୍ତି, ବିବାହ ପୂର୍ବରୁ ଶୀଘ୍ର ରାସ୍ତା ତିଆରିର ବନ୍ଦୋବସ୍ତ କରନ୍ତୁ। ଗାଁର ରାସ୍ତା ବହୁତ ଖରାପ। ବରଯାତ୍ରୀ ଆସିବାରେ ଅସୁବିଧା ହେବ। ଯୁବତୀଙ୍କ ଅଭିଯୋଗ ଶୁଣି ଜିଲାପାଳ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଅଧିକାରୀଙ୍କୁ କହିଛନ୍ତି, ତୁରନ୍ତ ରାସ୍ତା କାମ ପୂରା କରି ଏ ସମ୍ପର୍କରେ ମୋତେ ସୂଚନା ଦିଅ। ଜିଲାପାଳଙ୍କ ଏହି କଥା ଶୁଣି ଯୁବତୀ ଖୁସିବ୍ୟକ୍ତ କରିଛନ୍ତି।


ବିଏଡ୍‌ ପାସ କରିଥିବା କରିସ୍ମା ୨୭ ଫେବୃୟାରୀରେ ବିବାହ କରିବେ। ସେ ଗାଁରେ ରୁହନ୍ତି। ତେଣୁ ତାଙ୍କ ଗାଁ ରାସ୍ତା ବହୁତ ଖରାପ। ସ୍ଥାନେ ସ୍ଥାନେ ଆଣ୍ଠୁଏ ଖାଲ ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତିରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏମିତି ଅବସ୍ଥାରେ କରିସ୍ମାଙ୍କ ବରଯାତ୍ରୀ କିପରି ଗାଁରେ ପହଞ୍ଚିବେ ସେ ନେଇ ଚିନ୍ତାରେ ଥିଲେ।

କରିସ୍ମାଙ୍କ ପରିବାର ଲୋକେ କୁହନ୍ତି, ଏମିତି ରାସ୍ତାରେ ଯଦି ବରଯାତ୍ରୀ ଆସିବେ ତେବେ କନ୍ୟାଘର ବଦନାମ ହେବେ। ତେଣୁ ସେ ଚାହାନ୍ତି ତାଙ୍କ ଝିଅ ଅପନିନ୍ଦା ନ ନିଅନ୍ତୁ। ଏଥିପାଇଁ କରିସ୍ମା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ। କରିସ୍ମାଙ୍କ ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯିବା ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଅନ୍ୟପକ୍ଷରେ ଜିଲାପାଳ ଚନ୍ଦ୍ରଭୂଷଣ ସିଂ କହିଛନ୍ତି, କରିସ୍ମା ନାମକ ଜଣେ ଯୁବତୀ ଗାଁରେ ରାସ୍ତା ନାହିଁ ବୋଲି ମୋ’ ନିକଟକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ତାଙ୍କ କଥା ରଖି ମୁଁ ରାସ୍ତା ତିଆରି ପାଇଁ ନିର୍ଦ୍ଦେଶ ଦେଇଛି। ଏହା ଯେକୌଣସି ଯୋଜନାରେ ବି ହେଉ ତୁରନ୍ତ ନିର୍ମାଣ କରାଯିବ।

Share