ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ ରୀତିନୀତି ସରିବା ପୂର୍ବରୁ ହଠାତ୍‌ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଅଧାରେ ରହିଯାଇଥିଲା ସବୁ ସ୍ବପ୍ନ। ସୂଚନାଯୋଗ୍ୟ, ଇଟାଓ୍ବା ଜିଲାର ଭରଥାନା ଅଞ୍ଚଳର ସମସପୁର ଗାଁର ସୁରଭି ନାମକ ଯୁବତୀଙ୍କ ସହ ମଞ୍ଜେସ ଗାଁର ନାଓ୍ବଲି ଚିତଭବନଙ୍କ ସହ ମେ’ ୨୫ରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ସମସ୍ତ ରୀତିନୀତି ସୁରୁଖୁରରେ ଚାଲିଥିଲା।

ଠିକ୍‌ ସାତଫେରା ନେବା ପୂର୍ବରୁ ହଠାତ୍‌ କନ୍ୟା ଅଚେତ୍‌ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାରଲୋକେ କନ୍ୟାଙ୍କୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ହେବାରୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ଏହାପରେ ଦୁଇ ପରିବାରରେ ଶୋକର ଛାୟା ଖେଳିଯାଇଥିଲା। ତେବେ ବିବାହରେ ଉପସ୍ଥିତ ଥିବା ସର୍ମ୍ପକୀୟ ଓ ବରପକ୍ଷ ଲୋକଙ୍କ ଆପୋଷ ବୁଝାମଣାରେ ମୃତକ କନ୍ୟାଙ୍କ ସାନ ଭଉଣୀଙ୍କୁ ବର ବିବାହ କରିଥିଲେ। ଏହି ସମୟରେ ମୃତକନ୍ୟାଙ୍କ ମୃତଦେହକୁ ଅନ୍ୟ ଏକ ଘରେ ରଖାଯାଇଥିଲା। ପରେ ସାନ ଝିଅର ବିଦାୟି ପରେ ବଡ଼ ଝିଅର ଅନ୍ତିମ ସଂସ୍କାର କରାଯାଇଥିଲା।

Share