ବଧୂ ହତ୍ୟା ମାମଲା: ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡ

ଆସିକା,୪।୩: ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଜୟପୁର ଗ୍ରାମରେ ଘଟିଥିବା ଯୌତୁକଜନିତ ବଧୂହତ୍ୟା ମାମଲାର ବିଚାର କରି ବୁଧବାର ଆସିକା ଅତିରିକ୍ତ ଦୌରାଜଜ ରାଜଲକ୍ଷ୍ମୀ ପଟ୍ଟନାୟକ ଅଭିଯୁକ୍ତ ଶାଶୁ ସୁବାସିନୀ ଭଞ୍ଜଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୬ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଏହା ଅନାଦେୟ ୨ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି। ୨୦୧୧ ଫେବୃୟାରୀ ୨୭ରେ ବଧୂ ବୈଜୟନ୍ତୀଙ୍କ ଶାଶୁଘରେ ମୃତ୍ୟୁ ଘଟିଥିଲା। ଅଧିକ ଯୌତୁକ ପାଇଁ ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ ବୋଲି ବୈଜୟନ୍ତୀଙ୍କ ଭାଇ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏକାଦଶୀ ଗ୍ରାମର ବୁଲୁ ମହାନ୍ତି ଆସିକା ଥାନାରେ ଅଭିଯୋଗ କରିଥିଲେ ା ଏ ନେଇ ଏକ ମାମଲା (ନଂ. ୪୩/୧୧)ରୁଜୁ ହୋଇଥିଲା ା ପୋଲିସ ବୈଜୟନ୍ତୀଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଥିଲା ା ସେମାନେ ଅଦାଲତରେ ହାଜର ହେଉ ନ ଥିବା ନେଇ ଅଦାଲତ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ପୋଲିସ ଗତ ଫେବୃୟାରୀ ୪ ତାରିଖରେ ଅଭିଯୁକ୍ତ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ଅଭିଯୋଗର ବିଚାର ପରେ ଦଣ୍ଡବିଧାନ ହୋଇଛି। ଅଭିଯୁକ୍ତ ଶ୍ୱଶୁର ଓ ସ୍ବାମୀ ଏବେ ବି ଫେରାର୍‌ ଅଛନ୍ତି।

Share