ବର କନ୍ୟା ମୁଣ୍ଡରେ ସିନ୍ଦୁର ଦେଲାପରେ ଭାଙ୍ଗି ଗଲା ବାହାଘର: କନ୍ୟାଙ୍କ ସାନଭଉଣୀକୁ ଉଠାଇ ନେଲେ ବର

ବାଲ୍ୟ ବିବାହକୁ ପୋଲିସ ଦ୍ୱାରା ରୋକା ଯିବାରୁ ବର ରାଗି କରି କନ୍ୟାଙ୍କ ଭଉଣୀଙ୍କୁ ଉଠାଇ ନେଇଥିଲେ। ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବରଙ୍କ ସମ୍ପର୍କୀୟ ମହିଳାଙ୍କୁ ଗିରଫ କରାଯାଇଛି। ହେଲେ ବର ଫେରାର ହୋଇଯାଇଛନ୍ତି। ମଧ୍ୟପ୍ରଦେଶ ମୋରେନା ଜିଲାର ପୋରସା ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଗାଁରେ ଏଭଳି ଘଟଣା ଘଟିଛି।
ଜଣେ ଦଳିତ ନାବାଳିକାଙ୍କ ବିବାହ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସକ୍ରିୟ ହୋଇଉଠିଥିଲା। ପୋଲିସ ପହଞ୍ଚି ନାବାଳିକାଙ୍କ ପରିବାର ଲୋକଙ୍କୁ ବୁଝାସୁଝା ପାଇଁ ଥାନାକୁ ଆଣିଥିଲା। ତଥାପି ବର ନାବାଳିକା କନ୍ୟାଙ୍କ ମଥାରେ ସିନ୍ଦୁର ଲଗାଇ ଦେଇଥିଲେ। ପୋଲିସ ଏବଂ ପ୍ରଶାସନ ଡାକ୍ତରୀ ପରୀକ୍ଷା କରି ନାବାଳିକାଙ୍କୁ ମୋରେନାରେ ଥିବା ଏକ ଷ୍ଟପ ସେଣ୍ଟରରେ ଭର୍ତ୍ତି କରିଥିଲେ। ବିବାହ ବନ୍ଦ ହେବା ପରେ ବର ରାଗିଯାଇ ନିଜ ସମ୍ପର୍କୀୟମାନଙ୍କ ସହିତ ଝିଅ ଘରେ ପହଞ୍ଚି ବିବାହ ଉଦ୍ଦେଶ୍ୟରେ ନାବାଳିକାଙ୍କ ସାନ ଭଉଣୀକୁ ଜବରଦସ୍ତ ଉଠାଇ ନେଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଏକ ସର୍ଚ୍ଚ ଅପରେଶନ କରିଥିଲେ। ଅପହରଣ ହୋଇଥିବା ଝିଅକୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ସାହାଯ୍ୟ କରିଥିବା ନେଇ ବରର ସମ୍ପର୍କୀୟ ମହିଳା ମଧ୍ୟ ଧରାପଡିଛନ୍ତି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଉପରେ ପୋଲିସ ଅପହରଣ ଏବଂ ବାଲ୍ୟ ବିବାହ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଫେରାର ବରଙ୍କୁ ଖୋଜୁଛି।

Share