Categories: ଜାତୀୟ

୩ ପିଲାଙ୍କ ଉପରେ କାର୍‌ ଚଢାଇଦେଲେ ବ୍ରିଜଭୂଷଣ ସିଂହଙ୍କ ପୁଅ, ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ,୨୯।୫: ପିଲାଙ୍କ ଉପରେ ଚଢିଗଲା ଭାଜପା ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍କେଡ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୨ ପିଲା। ବ୍ରିଜଭୂଷଣ ସିଂହଙ୍କ ପୁଅ ତଥା ଭାଜପା ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍କେଡରେ ସାମିଲ ଥିବା ଏକ ଫର୍ଚୁନର କାର୍‌ ୩ କଲେଜ ପିଲାଙ୍କ ଉପରେ ଚଢି ଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ।

କୈସରଗଞ୍ଜ ଆସନରୁ ବିଜେପିର ପ୍ରାର୍ଥୀ ଥିବା କରଣ ଭୂଷଣ ସିଂହ ହେଉଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପୁଅ। ସେ ଗୋଣ୍ଡା ଜିଲ୍ଲାରେ ର୍ନିବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ କାରକେଡ୍ରେ ସାମିଲ ଥିବା ଫର୍ଚୁନର୍‌ କାର୍‌ ୩ ଜଣ କଲେଜ ଛାତ୍ରଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରଣଙ୍କ କାରକେଡ ବୈକୁଣ୍ଠ ଡିଗ୍ରୀ କଲେଜ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। କାରକେଡ ଯିବା ସମୟରେ କଲେଜର ତିନି ଜଣ ପିଲା ରାସ୍ତା ପାର୍‌ କରୁଥିଲେ। ଏତିକି ବେଳେ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍‌ ତାଙ୍କ ଉପରେ ମାଡିଯାଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଘଟିବା ପରେ କରଣ ଅଟକି ନ ଥିଲେ। ଏପରିକି କି ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝି ନ ଥିଲେ।

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ଉପୁଜିଛି। ଦୁର୍ଘଟଣା ସମୟରେ କରଣ କାରକେଡରେ ଉପସ୍ଥିତ ଥିଲେ ନା ନାହିଁ ସେ ନେଇଁ ଯାଞ୍ଚ ଚାଲିଛି। ଅଭିଯୋଗ ଆଧାରରେ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଫର୍ଚୁନର କାରକୁ ଜବତ କରିବା ସହ ଏହାର ଡ୍ରାଇଭରକୁ ଅଟକ ରଖିଛି। ସେପଟେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Share