ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୧ା୧୨: ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳର ପ୍ରତିବାଦସ୍ବରୂପ ଅଲିମ୍ପିକ ପଦକ ବିଜୟିନୀ କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ଖେଳରୁ ତାଙ୍କର ଅବ୍ୟାହତି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦାୟୀ ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରଣ ଖବରଦାତାଙ୍କ ନିକଟରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ ପ୍ରତିକ୍ରିୟା କହିଛନ୍ତି, ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ଯଦି ଖେଳ ଜାରି ରଖିବାକୁ ଚାହିଁବେ ସେମାନଙ୍କ ପ୍ରତି କୌଣସି ଅକ୍ରୋଶ ମନୋଭାବ ପୋଷଣ କରାଯିବ ନାହିଁ। ସେମାନଙ୍କ ପ୍ରତି କୌଣସି ପାତରଅନ୍ତର କରାଯିବ ନାହିଁ। ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଆନ୍ଦୋଳନକାରୀ ଆଗଧାଡ଼ି କୁସ୍ତିଯୋଦ୍ଧାମାନେ ବିଭିନ୍ନ ମହଲରୁ ସମର୍ଥନ ଯୋଗାଡ଼ କରିବାରେ ସଫଳ ରହିଥିଲେ। ମେ ୨୮ରେ ପାର୍ଲାମେଣ୍ଟ ଆଡ଼କୁ ଏକ ଶୋଭାଯାତ୍ରାରେ ବାହାରିବା ଲାଗି ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ। ମାତ୍ର ଦିଲ୍ଲୀ ପୋଲିସ ଯନ୍ତରମନ୍ତରଠାରୁ ବିକ୍ଷୋଭକାରୀମାନଙ୍କୁ ହଟାଇ ଦେଇଥିଲା। ପରବର୍ତ୍ତୀ ସମୟରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ବ୍ରିଜଭୂଷଣଙ୍କ ପରିବାର କିମ୍ବା ଘନିଷ୍ଠଙ୍କୁ ନିର୍ବାଚନରେ ଭାଗ ନେବାଲାଗି ଅନୁମତି ଦିଆଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ କୁସ୍ତିଯୋଦ୍ଧାମାନେ ବିଧିବଦ୍ଧ ସେମାନଙ୍କ ଆନ୍ଦୋଳନରୁ ଓହରିଯାଇଥିଲେ। ଅନ୍ୟପକ୍ଷେ ବ୍ରିଜଭୂଷଣଙ୍କ ଘନିଷ୍ଠ ଅନୁଗତ କୁହାଯାଉଥିବା ସଞ୍ଜୟ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇଛନ୍ତି।

Share