Categories: ଖେଳ

ଓ୍ବାଶିଂଟନ୍‌ ସୁନ୍ଦରଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡ ୨୫୯ ରନ୍‌ରେ ଅଲଆଉଟ

ପୁଣେ,୨୪ା୧୦(ପି.ଟି.): ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୨୫୯ ରନ୍‌ରେ ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧ ଉଇକେଟରେ ୧୬ ରନ୍‌ ସ୍କୋର କରିଛି। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ଚମତ୍କାର ବୋଲିଂ କରି ୭ ଉଇକେଟ ନେଇଛନ୍ତି। ଭାରତ ଏହି ମ୍ୟାଚ୍‌ରେ ଲୋକେଶ ରାହୁଲ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ଶୁବମାନ ଗିଲ୍‌, ଓ୍ବାଶିଂଟନ୍‌ ସୁନ୍ଦର ଓ ଆକାଶ ଦୀପ୍‌ଙ୍କୁ ଖେଳାଇଥିଲା। ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ମ୍ୟାଟ୍‌ ହେନରୀଙ୍କ ସ୍ଥାନରେ ମିଚେଲ ସାଣ୍ଟନରଙ୍କୁ ଖେଳାଇଥିଲା। ପୁଣେର ସ୍ପିନିଙ୍ଗ ଟ୍ରାକରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।
ଯଶପ୍ରୀତ୍‌ ବୁମ୍‌ରା ଓ ଆକାଶ ଦୀପ ମାତ୍ର ୧୪ ଓଭର ବୋଲିଂ କରି ଉଇକେଟ ଶୂନ୍ୟ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇ ଓପନର ଟମ୍‌ ଲାଥାମ୍‌(୧୫) ଓ ଡେଭନ୍‌ କନ୍‌ଓ୍ବେ(୭୬) ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ୩୨ ରନ୍‌ ଯୋଡିଥିଲେ। ଲାଥାମଙ୍କୁ ଲେଗ୍‌ ବିଫୋର କରି ଅଶ୍ୱିନ ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ପରେ ଓ୍ବିଲ ୟଙ୍ଗ(୧୮) କ୍ରିଜରେ ଯୋଗ ଦେଇ କନ୍‌ଓ୍ବେଙ୍କ ସହ ୪୪ ରନ୍‌ ଯୋଡିଥିଲେ। ୟଙ୍ଗଙ୍କୁ ଆଉଟ କରି ଅଶ୍ୱିନ ଭାରତକୁ ଦ୍ୱିତୀୟ ସଫଳତା ପ୍ରଦାନ କରିଥିଲେ। ପ୍ରଥମ ମ୍ୟାଚ୍‌ର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରାଚିନ ରବୀନ୍ଦ୍ର ବ୍ୟାଟିଂ କରିବାକୁ ଆସି କନ୍‌ଓ୍ବେଙ୍କ ସହ ୬୨ ରନ୍‌ ଯୋଡିଥିଲେ। ୧୪୧ ବଲ୍‌ ଖେଳି କନ୍‌ଓ୍ବେ ୧୧ ଚୌକା ସହ ୭୬ ରନ୍‌ କରିଥିବା ବେଳେ ଅଶ୍ୱିନଙ୍କ ତୃତୀୟ ଶିକାର ହୋଇଥିଲେ। ରବୀନ୍ଦ୍ର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୬୫ ରନ୍‌ କରି ଚତୁର୍ଥ ଖେଳାଳି ଭାବେ ଆଉଟ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ସେ ୧୦୫ ବଲ୍‌ ଖେଳି ୫ ଚୌକା ଓ ୧ଛକା ମାରି ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏକଦା ୧୯୭/୩ ଥିବା ନ୍ୟୁଜିଲାଣ୍ଡ ଏହାର ଅନ୍ତିମ ୭ ଉଇକେଟ ୬୨ ରନ୍‌ ମଧ୍ୟରେ ହରାଇଥିଲା। ସମସ୍ତ ୭ ଉଇକେଟ ଅକ୍ତିଆର କରିବା ସହ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଥିଲେ ଓ୍ବାଶିଂଟନ୍‌ ସୁନ୍ଦର। ସୁନ୍ଦରଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେଇଥିଲେ।
ଦିନର ୧୧ ଓଭର ଖେଳ ବାକି ରହିଥିବା ବେଳେ ଭାରତ ଷ୍ଟମ୍ପ ଅପସାରଣ ବେଳକୁ ୧ ଉଇକେଟ ହରାଇ ୧୬ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ଆଗରୁ ଟିମ୍‌ ସାଉଦିଙ୍କ ବଲରେ ଆଉଟ ହୋଇଥିଲେ। ଷ୍ଟମ୍ପସ ବେଳକୁ ଶୁବମାନ ଗିଲ୍‌ ୧୦ ଓ ଯଶସ୍ବୀ ଜୟସ୍ବାଲ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ହାତରେ ୯ ଉଇକେଟ ବାକି ରହିଥିବା ବେଳେ ଭାରତ ୨୪୩ ରନ୍‌ ପଛରେ ରହିଛି।

Share