ନ୍ୟୁୟର୍କ,୧୦।୧୦: ନଭେମ୍ବର ୮ରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ବିକ୍ଷୋଭକାରୀମାନେ ନିଜ ଶରୀର ସମ୍ପର୍କିତ ନିଷ୍ପତ୍ତି ନିଜେ ନେବା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। କଂଗ୍ରେସ ଉପରେ ଶାସକ ଡେମୋକ୍ରାଟମାନେ ନିଜ ନିୟନ୍ତ୍ରଣକୁ ମଜଭୁତ କରିବା ପାଇଁ ସଂଘର୍ଷ ଜାରି ରଖିଥିତ୍ବାବେଳେ ଏହି ନିର୍ବାଚନ ଏପରି ଅଧିକାରର ଭବିଷ୍ୟତ ଉପରେ ନିର୍ଣ୍ଣାୟକ ପ୍ରଭାବ ପକାଇପାରେ। ଏହି ପରିପ୍ରେକ୍ଷୀରେ ଅଣଲାଭକାରୀ ସଙ୍ଗଠନ ଓମେନ୍ସ ମାର୍ଚ୍ଚ ଅର୍ଗାନାଇଜେଶନ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ରଚେଲ ଓ’ଲେଆରି କାର୍ମୋନା ଟୁଇଟ୍ କରିଛନ୍ତି, ପ୍ରତ୍ୟେକ ଗର୍ଭପାତ ବିରୋଧୀ ରାଜନେତାଙ୍କ ପାଇଁ ମହିଳାମାନଙ୍କ ହ୍ବାଓ୍ବା ବହିବାକୁ ଆସୁଛି। ପ୍ରକାଶ ଯେ, ମହିଳାଙ୍କ ଗର୍ଭପାତ ଅଧିକାର ନେଇ ରହିଆସିଥିବା ଅର୍ଦ୍ଧଶତାବ୍ଦୀ ପୁରୁଣା ସାମ୍ବିଧାନିକ ଅଧିକାରକୁ ଗତ ଜୁନ୍ରେ ଆମେରିକା ସୁପ୍ରିମକୋର୍ଟ ଉଚ୍ଛେଦ କରିଥିଲେ। ଏହା ଉପରେ ରାଜ୍ୟଗୁଡ଼ିକର ନିଜସ୍ବ ନିୟମ ଅନୁସାରେ ମହିଳାମାନେ ପରିଚାଳିତ ହେବେ ବୋଲି ଅଦାଲତ ରୋ ବନାମ ଓ୍ବେଡ୍ ମାମଲାର ରାୟରେ ସ୍ପଷ୍ଟ କରିବା ପରଠୁ ଦେଶରେ ଗର୍ଭପାତ ସପକ୍ଷବାଦୀଙ୍କ ଆନ୍ଦୋଳନ ମୁଣ୍ଡ ଟେକିଛି। ଏକ ସଦ୍ୟ ଘଟଣାକ୍ରମରେ ଶୁକ୍ରବାର ଆରିଜୋନାସ୍ଥିତ ଏକ ଅପିଲ କୋର୍ଟ ଏହି ଦକ୍ଷିଣପଶ୍ଚିମ ରାଜ୍ୟରେ ଗର୍ଭପାତ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।