Categories: ଖେଳ

୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଲକ୍ଷ୍ୟରେ ବ୍ରିଟେନ୍‌

ବର୍ଲିନ୍‌,୧୪।୭(ପି.ଟି.): ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ୨୦୨୪ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ସ୍ପେନ ଦଳ ଚତୁର୍ଥ ୟୁରୋ କପ୍‌ ଲକ୍ଷ୍ୟରେ ରହିଥିବା ବେଳେ ଇଂଲଣ୍ଡ ୫୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇବା ଲକ୍ଷ୍ୟରେ ରହିଛି। ଶେଷ ଥର ପାଇଁ ଇଂଲଣ୍ଡ ୧୯୬୬ରେ ବିଶ୍ୱକପ ଜିତିଥିଲା। ଏହା ପରଠାରୁ ଇଂଲଣ୍ଡ କୌଣସି ମେଜର ଟ୍ରଫି ହାସଲ କରିବାରେ ଅସମର୍ଥ ରହିଛି। ଏପରିକି ୨୦୨୦ ୟୁରୋରେ ଦଳ ଇଟାଲୀ ଠାରୁ ହାରି ରନର୍‌ଅପ୍‌ ରହିଥିଲା।
ଫାଇନାଲ ମ୍ୟାଚ୍‌ ପାଇଁ ସ୍ପେନକୁ ଫେଭରିଟ୍‌ ବିବେଚନା କରାଯାଉଛି। ସ୍ପେନ୍‌ ଦଳ ଏହାର ସମସ୍ତ ୬ ମ୍ୟାଚ୍‌ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଦଳରେ ତାରକା ଖେଳାଳିଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଲାମିନ୍‌ ୟାମାଲ। ୧୭ ବର୍ଷୀୟ ଏହି ଖେଳାଳି ଜଣଙ୍କ ୟୁରୋ କପ୍‌ ଇତିହାସର ସର୍ବକନିଷ୍ଠ ଗୋଲ ସ୍କୋରର ପାଲଟିଥିବା ବେଳେ ଫାଇନାଲ ମ୍ୟାଚ୍‌ରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ସେହିପରି ମିଡଫିଲ୍ଡର ଡାନି ଓଲମୋ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ଇଂଲଣ୍ଡ ଦଳର ପ୍ରଦର୍ଶନ ମୁଖ୍ୟତଃ ହ୍ୟାରି କେନ୍‌ ଓ ଜୁଡ୍‌ ବେଲିଙ୍ଗହାମଙ୍କ ଉପରେ ନିର୍ଭରଶୀଳ। ସେହିପରି ମିଡଫିଲ୍ଡରେ ବୁକାୟୋ ସାକା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଦଳର କୋଚ୍‌ ଗ୍ୟାରେଥ୍‌ ସାଉଥଗେଟ୍‌ ଫାଇନାଲ ପାଇଁ କଣ ରଣନୀତି ପ୍ରସ୍ତୁତ କରୁଛନ୍ତି ଏହା ଉପରେ ନଜର ରହିବ।

Share