କାନାଡା-ଭାରତ ବିବାଦରେ ବ୍ରିଟେନର ଏଣ୍ଟ୍ରି, ବୈଦେଶିକ ମନ୍ତ୍ରୀ କହିଲେ, ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ୍‌

ଲଣ୍ଡନ,୨୦।୯: ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭର୍ଲି କାନାଡା-ଭାରତ ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଦେଶ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ୍‌। ଖାଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟା ସଂପର୍କରେ ବ୍ରିଟେନ ସରକାର କାନାଡା ସରକାରଙ୍କ ସହିତ ନିୟମିତ ଭାବେ ଯୋଗାଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ସୋମବାର କାନାଡାର ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ନିଜାରଙ୍କ ହତ୍ୟାରେ ଭାରତର ହାତ ଥାଇପାରେ।

ବୈଦେଶିକ ସଚିବ ଟୁଇଟ୍‌ କରି କହିଛନ୍ତି ଯେ, ସମସ୍ତ ଦେଶ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ଏବଂ ସେମାନଙ୍କ ଆଇନକୁ ସମ୍ମାନ ଦେବା ଉଚିତ୍‌। କାନାଡା ସଂସଦରେ ନିଜାରଙ୍କ ହତ୍ୟା ମାମଲାରେ ଭାରତ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଆମେ କାନାଡା ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ। ଏଠାରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି କାନାଡାର ଅନୁସନ୍ଧାନକାରୀ ସଂସ୍ଥା ଏହାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଉଚିତ୍‌। ତଦନ୍ତ ରିପୋର୍ଟ ବିନା ଏ ସମ୍ପର୍କରେ ମନ୍ତବ୍ୟ ଦେବା ଅନୁଚିତ ବୋଲି ସେ କହିଛନ୍ତି।

Share