କର୍ମଚାରୀ ଆନ୍ଦୋଳନରୁ ନ ଓହରିଲେ ସେନା ନିୟୋଜିତ କରିପାରେ ବ୍ରିଟେନ

ଲଣ୍ଡନ,୫।୧୨ : ବ୍ରିଟେନରେ କର୍ମଚାରୀମାନେ ଅନ୍ଦୋଳନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ବେତନ ବୃଦ୍ଧି ଏବଂ ସର୍ତ୍ତାବଳୀକୁ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସର ହଜାର ହଜାର ନର୍ସ ଓ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ କରିବାକୁ ଯୋଜନା କରିଛନ୍ତି। ଧର୍ମଘଟ ବନ୍ଦ କରିବାକୁ କର୍ମଚାରୀମାନଙ୍କୁ ସରକାର ବାରମ୍ବାର ଆହ୍ବାନ ଦେଇଆସୁଛନ୍ତି। ଏହା ଦ୍ୱାରା ବେତନ ବୃଦ୍ଧି ହେବନି କି ଦରଦାମ୍‌ ହ୍ରାସ ପାଇବ ନାହିଁ ବରଂ ଆନ୍ଦୋଳନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସ୍ବାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ପ୍ରଭାବିତ ହୁଏ, ତେବେ ସରକାର ଜନସେବା କାର୍ଯ୍ୟ ଚାଲୁ ରଖିବା ପାଇଁ ସେନା ଡାକିବାକୁ ବିଚାର କରୁଛନ୍ତି।

ଏବେ ଧର୍ମଘଟ ନୁହେଁ ବୁଝାମଣାର ସମୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବେତନ ଓ ନିଯୁକ୍ତି ସର୍ତ୍ତାବଳୀକୁ ନେଇ ଡାକ କମ୍ପାନୀ ରୟାଲ ମେଲ୍‌ର କର୍ମଚାରୀମାନେ ଚଳିତ ବର୍ଷ ଏକାଧିକ ପର୍ଯ୍ୟାୟ ଧର୍ମଘଟ କଲେଣି। ପ୍ରଧାନମନ୍ତ୍ରୀ ଋଷି ସୁନକ ମାସେ ହେଲା କ୍ଷମତାକୁ ଆସିଥିବାବେଳେ ମାନ୍ଦାବସ୍ଥା ସମେତ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସରକାରୀ କର୍ମଚାରୀ, ଏନ୍‌ଏଚ୍‌ଏସ୍‌ ଷ୍ଟାଫ୍‌, ଶିକ୍ଷକ, ଅଗ୍ନିଶମ କର୍ମଚାରୀମାନଙ୍କ ଆନ୍ଦୋଳନ ଅଧିକାର ଉପରେ କଟକଣା ଲଗାଇବାକୁ ସୁନକ ଯୋଜନା କରୁଥିବା ଖବର ପ୍ରକାଶ ପାଇଛି। ସ୍ବାସ୍ଥ୍ୟକର୍ମୀ ଧର୍ମଘଟରେ ସାମିଲ ହେଲେ ଫାର୍ମାସିଷ୍ଟମାନଙ୍କୁ ରୋଗୀ ଚିକିତ୍ସାରେ ଲଗାଯାଇପାରେ ବୋଲି ଏକ ଖବରକାଗଜ ପ୍ରକାଶ କରିଛି। ବେତନ ବୃଦ୍ଧି ନେଇ ସ୍କଟଲାଣ୍ଡର ଶିକ୍ଷକମାନେ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଧର୍ମଘଟରେ ସାମିଲ ହୋଇଛନ୍ତି।

Share