ଲଣ୍ଡନରେ ଥିବା ‘ଇଣ୍ଡିଆ କ୍ଲବ୍‌’ ସବୁଦିନ ପାଇଁ ହୋଇଯିବ ବନ୍ଦ, ସ୍ବାଧୀନତା ସଂଗ୍ରାମରେ ରହିଛି ଏହାର ସ୍ବତନ୍ତ୍ର ଯୋଗଦାନ

ଲଣ୍ଡନ,୨୭।୮: ଲଣ୍ଡନରେ 70 ବର୍ଷ ପୁରୁଣା ଐତିହାସିକ ‘ଇଣ୍ଡିଆ କ୍ଲବ’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଏହାର ସ୍ବତନ୍ତ୍ର ଯୋଗଦାନ ରହିଛି। କୃଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ସଂଗ୍ରାମୀଙ୍କ କେନ୍ଦ୍ର ଭାବରେ ଏହି କ୍ଲବ ଜଣାଶୁଣା ଥିଲା। ତେବେ ଏହି କ୍ଲବ୍‌ ୧୭ ସେପ୍ଟେମ୍ବରକୁ ସବୁଦିନ ପାଇଁ ବନ୍ଦ ହୋଇଯିବ। କ୍ଲବର ମାଲିକ ଯାଦଗର ମାର୍କର ଏବଂ ତାଙ୍କ ଝିଅ ଫିରୋଜା ଗତ ୨୬ ବର୍ଷ ଧରି ଅନୁଷ୍ଠାନ ଚଳାଉଥିଲେ।

ଏହି ଇଣ୍ଡିଆ କ୍ଲବ ଭାରତର ସ୍ବାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଇଣ୍ଡିଆ ଲିଗ ପାଇଁ ଏକ କେନ୍ଦ୍ର ଭାବରେ ସୃଷ୍ଟି ହୋଇଥିବା ଏହି କ୍ଲବ ଲଣ୍ଡନରେ ବିଭିନ୍ନ ଭାରତୀୟ ସଂଗଠନ ଯଥା ଇଣ୍ଡିଆନ ସାମ୍ବାଦିକ ସଂଘ, ଇଣ୍ଡିଆନ ୱାର୍କର୍ସ ଆସୋସିଏସନ ଏବଂ ଇଣ୍ଡିଆନ ସୋସିଆଲିଷ୍ଟ ଗ୍ରୁପ ପାଇଁ ଏକ ସଭା ସ୍ଥଳ ଭାବରେ କାର୍ଯ୍ୟ କରିଛି। ଏହାର ସଦସ୍ୟତା ମଧ୍ୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଶେଷ ଭିକେରୋଇଙ୍କ ପତ୍ନୀ ଲେଡି ମାଉଣ୍ଟବ୍ୟାଟେନ ଭଳି ମଧ୍ୟ ସାମିଲ ଅଛନ୍ତି।

ଏହାର ଅନ୍ୟତମ ପ୍ରତିଷ୍ଠାତା ତଥା ସଦସ୍ୟ କୃଷ୍ଣ ମେନନ ସ୍ବାଧୀନତା ଏବଂ ବିଭାଜନ ପରେ ଏହାକୁ ବ୍ରିଟିଶ ଓ ଦକ୍ଷିଣ ଏସୀୟ ସମ୍ପ୍ରଦାୟ କେନ୍ଦ୍ରସ୍ଥଳୀ ଭାବେ ପରିଣତ କରିଥିଲେ। କୃଷ୍ଣ ମେନନ ଏହାକୁ ଏପରି ସ୍ଥାନ କରିବାକୁ ଚାହୁଁଥିଲେ। ଯେଉଁଠାରେ ଗରିବ ଯୁବକ ଭାରତୀୟ ଖାଦ୍ୟ ଖାଇପାରିବେ ଏବଂ ରାଜନୀତିରେ ଆଲୋଚନା କରି ସେମାନଙ୍କ ଭବିଷ୍ୟତ ଗଠନ କରିପାରିବେ।

 

Share