ସାତ ଶିଶୁଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ଧରାଇବାରେ ଭାରତୀୟ ମୂଳ ବାସିନ୍ଦା ଡାକ୍ତରଙ୍କର ରହିଛି ମୁଖ୍ୟ ଭୂମିକା

ଲଣ୍ଡନ,୧୯।୮: ବ୍ରିଟେନରେ ଜନ୍ମିତ ଭାରତୀୟ ମୂଳବାସିନ୍ଦା ଡାକ୍ତର ରବି ଜୟରାମ ୭ଜଣ ଶିଶୁଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ଧରାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡକ୍ଟର ରବି ଜୟରାମ ପ୍ରଥମେ ହତ୍ୟାକାରୀ ନର୍ସଙ୍କ ଉପରେ ସନ୍ଦେହ ସୃଷ୍ଟି କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ବ୍ରିଟେନର ଏକ କୋର୍ଟ ଶୁକ୍ରବାର ନର୍ସଙ୍କୁ ୭ ନବଜାତ ଶିଶୁଙ୍କୁ ହତ୍ୟା ଏବଂ ୬ଜଣଙ୍କୁ ହତ୍ୟା ଉଦ୍ୟମ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ସୋମବାର ନର୍ସଙ୍କୁ ଦଣ୍ଡିତ କରାଯିବ।

ସୂଚନାଯୋଗ୍ୟ, ଉତ୍ତର ବ୍ରିଟେନର ଚେଷ୍ଟର ସ୍ଥିତ କାଉଣ୍ଟି ଅଫ ଚେଷ୍ଟର ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ନର୍ସ ଲୁସି ଲେଟବି (୩୩) ନବଜାତ ଶିଶୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲୁସିଙ୍କୁ ଧରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡାକ୍ଟର ଜୟରାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମୋର ବିଶ୍ୱାସ ଯେ ହତ୍ୟା କରାଯାଇଥିବା ତିନି କିମ୍ବା ଚାରିଜଣ ପିଲା ଆଜି ସ୍କୁଲ ଯାଇଥାନ୍ତେ। ସେ କହିଥିଲେ ଯେ ଯେତେବେଳେ ଜୁନ ୨୦୧୫ରେ ତିନି ନବଜାତ ଶିଶୁଙ୍କର ମୃତ୍ୟୁହୋଇଥିଲା, ସେତେବେଳେ ସେ ଏହା ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ଯେତେବେଳେ ଅଧିକ ପିଲା ମରିଗଲେ, ମୋ ପରି ବରିଷ୍ଠ ଡାକ୍ତରମାନେ ଅନେକ ବୈଠକ କରିଥିଲେ ଏବଂ ଡାକ୍ତରଖାନା ପ୍ରଶାସନର ଅଧିକାରୀଙ୍କ ସହ ସେମାନଙ୍କର ଉଦବେଗ ପ୍ରକାଶ କରିଥିଲେ।

ଡାକ୍ଟର ଜୟରାମ କହିଛନ୍ତି ଯେ ଏପ୍ରିଲ ୨୦୧୭ରେ ନ୍ୟାସନାଲ ହେଲଥ ସର୍ଭିସ ଟ୍ରଷ୍ଟ ଆମକୁ ଏହି ପ୍ରସଙ୍ଗରେ ପୋଲିସ ସହିତ ସାକ୍ଷାତ କରିବାକୁ ଅନୁମତି ଦେଇଥିଲା। ଯେତେବେଳେ ଆମେ ପିଲାମାନଙ୍କର ରହସ୍ୟମୟ ମୃତ୍ୟୁ ବିଷୟରେ ପୋଲିସକୁ କହିଥିଲୁ, ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଅନୁସନ୍ଧାନରେ ନର୍ସ ଲୁସି ଲେଟବୀଙ୍କୁ ସନ୍ଦେହ କରାଯାଉଥିଲା ଏବଂ ପଚରାଉଚରା ଏବଂ ବିସ୍ତୃତ ଅନୁସନ୍ଧାନ ପରେ ତାଙ୍କୁ ଗିରଫ କରାଯାଇଥିଲା।

Share