ସେପ୍ଟେମ୍ବର ୫ରେ ଘୋଷଣା ହେବ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ରେସ୍‌ରେ ୧୧ ପ୍ରାର୍ଥୀ

ଲଣ୍ଡନ,୧୨ ।୭: ବ୍ରିଟେନର ଶାସକ କନଜରଭେଟିଭ ପାର୍ଟିର ସୂଚନା ଅନୁଯାୟୀ, ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ୫ ସେପ୍ଟେମ୍ବରରେ କରାଯିବ । ତେବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ ଜନସନ ସେପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ କୁହାଯାଇଛି । ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଆସନ ପାଇଁ ୧୧ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି ।
ସୂଚନାଯୋଗ୍ୟ, ବ୍ରିଟେନରେ ଯେତେବେଳେ ମନ୍ତ୍ରୀମାନେ ବୋରିସ ଜନସନଙ୍କ ହାତ ଛାଡିବା ଆରମ୍ଭ କଲେ ସେତେବେଳେ ବୋରିସଙ୍କ ଆସନ ଟଳମଳ ହେଲା । ୫୦ ପ୍ରତିଶତରୁ ଅଧିକ ସଦସ୍ୟ ଇସ୍ତଫା ଦେବା ପରେ ଜନସନ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ।
କୁହାଯାଉଛି କି ସଂସଦର ପ୍ରଭାବଶାଳୀ ୧୯୨୨ ସମିତି ସୋମବାର ପାର୍ଟିର ନେତୃତ୍ୱ ନିର୍ବାଚନ ପାଇଁ ଏକ ସମୟ ସାରଣିର ରୂପରେଖ ପ୍ରସ୍ତୁତ କରିଛି । ୧୯୨୨ ସମିତିର ଅଧ୍ୟକ୍ଷ ଗ୍ରାହାମ ବ୍ରେଡି ଖବରଦାତାଙ୍କୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ ପାଇଁ ନୋମିନେଶନ ଅଫିସିୟାଲି ମଙ୍ଗଳବାର ପର୍ଯ୍ୟନ୍ତ ଖୋଲା ରହିଛି । ଗ୍ରୀଷ୍ମ ଅବକାଶ ପରେ ନୂଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରାଯିବ ।

Share