ୟୁକ୍ରେନକୁ ୬ କୋଟି ଡଲାର ପ୍ରତିରକ୍ଷା ସହାୟତା ଯୋଗାଇଲା ବ୍ରିଟେନ

ଲଣ୍ଡନ,୨୦।୧୧: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଗସ୍ତରେ ସେ ୟୁକ୍ରେନକୁ ସେ ୬ କୋଟି ଡଲାର ପ୍ରତିରକ୍ଷା ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ୧୨୬ଟି ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଏବଂ ପ୍ରଯୁକ୍ତିବିଦ୍ୟା ସାମିଲ ରହିଛି। ଏହି ପ୍ୟାକେଜ ୟୁକ୍ରେନକୁ ରୁଷିଆର ଆକ୍ରମଣରୁ ରକ୍ଷା କରିବ। ୟୁକ୍ରେନ ଜିତିବା ପର୍ଯ୍ୟନ୍ତ ବ୍ରିଟେନ କିଭ୍‌ ସହ ଛିଡା ହେବ ବୋଲି ସୁନକ କହିଛନ୍ତି। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ସୁନକଙ୍କୁ ପ୍ରଶଂସା କରି କହିଛନ୍ତି, ଆପଣଙ୍କ ପରି ବନ୍ଧୁମାନଙ୍କ ସହଯୋଗ ମିଳିଲେ ଆମ ବିଜୟ ନିଶ୍ଚିତ। ଏହି ସମୟରେ ଉଭୟ ନେତା ବିଶ୍ୱ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।
କିଭ୍‌ ଗସ୍ତ ସମୟରେ ସୁନକ କହିଛନ୍ତି, ବ୍ରିଟେନ ଆରମ୍ଭରୁ ୟୁକ୍ରେନ ସହ ଛିଡା ହୋଇଥିବାରୁ ମୁଁ ଗର୍ବିତ। ବ୍ରିଟେନ ଏବଂ ଆମର ସହଯୋଗୀମାନେ ସହାୟତାରେ ୟୁକ୍ରେନ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରୁଛି। ୟୁକ୍ରେନର ସଶସ୍ତ୍ର ବାହିନୀ ରୁଷିଆକୁ ସୈନ୍ୟକୁ ଉଚିତ୍‌ ଜବାବ ଦେବାବାରେ ସଫଳ ହୋଇଛନ୍ତି। ସାଧାରଣ ନାଗରିକଙ୍କ ଉପରେ ବୋମା ମାଡ କରାଯାଉଛି, ଯାହାକୁ ଦୃଷ୍ଟିରେ ରଖି ଆଜି ଆମେ ୟୁକ୍ରେନକୁ ନୂତନ ବାୟୁ ପ୍ରତିରକ୍ଷା ଯୋଗାଉଛୁ।
ସୂଚନାଯୋଗ୍ୟ, ୨୪ ଫେବୃଆରୀରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ବ୍ରିଟେନ କିଭ୍‌କୁ ସାମରିକ ଏବଂ ମାନବିକ ସହାୟତା ଯୋଗାଇ ଆସୁଛି। ଏହାସହ ମସ୍କୋ ବିରୋଧରେ ବ୍ରିଟେନ କଟକଣା ଲାଗୁ କରିଛି।

Share