ବ୍ରିଟେନର ନୂଆ କ୍ୟାନ୍‌ସର ଟିକା, କମାଇବ ରୋଗୀଙ୍କ ଚିକିତ୍ସା ଅବଧି

ଲଣ୍ଡନ,୩୧।୮: ବ୍ରିଟେନ ସରକାର ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହା କ୍ୟାନସର ଚିକିତ୍ସାରେ ଅଧିକ ଫଳପ୍ରଦ ହେବ। ଏହି ଟିକା କ୍ୟାନସର ରୋଗୀଙ୍କ ଚିକିତ୍ସା ଅବଧିକୁ ପ୍ରାୟ ୩ ମାସ ହ୍ରାସ କରୁଛି। ଏହା ଇଂଲଣ୍ଡର ଔଷଧ ଓ ସ୍ବାସ୍ଥ୍ୟସେବା ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇଛି। ଏନେଇ ଜାତୀୟ ସ୍ବାସ୍ଥ୍ୟସେବା ସଂସ୍ଥା ପକ୍ଷରୁ କୁହାଯାଇଛି, ପୂର୍ବରୁ କ୍ୟାନସର ରୋଗୀମାନେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଯେଉଁ ଟିକା ନେଉଥିଲେ ତାହା ଏହି ରୋଗର ଚିକିତ୍ସା ଲାଗି ଅଧିକ ସମୟ ନେଉଥଲା। ଜାତୀୟ ସ୍ବାସ୍ଥ୍ୟ ସେବା ସଂସ୍ଥାର ପରାମର୍ଶଦାତା ଡ. ଆଲେକଜାଣ୍ଡାର ମାର୍ଟିନ କହିଛନ୍ତି ଏହି ଟିକା କମ୍‌ ସମୟରେ ଅଧିକ ଫଳପ୍ରଦ ହେଉଥିବାରୁ ଅଧିକ ସଂଖ୍ୟକ ରୋଗୀ ଏହି ରୋଗରୁ ଉପଶମ ପାଇପାରିବେ। ଇଂଲଣ୍ଡର ପ୍ରସ୍ତୁତ ଏହି ଟିକାର ନାମ ଟେକେନଟ୍ରିକ୍ୟୁ, ଯାହା ରୋଗୀଙ୍କ ଶରୀରରେ ଲଗାଇବାକୁ ପ୍ରାୟ ୭ ମିନିଟ୍‌ ସମୟ ନେବ। ପୂର୍ବରୁ ଯେଉଁ ଟିକା ଲଗାଯାଉଥିଲା ତାହା ରୋଗୀଙ୍କ ସ୍ନାୟୁରେ ଦିଆଯାଉଥିଲା। ଏଥିପାଇଁ ଅଧଘଣ୍ଟାରୁ ଏକଘଣ୍ଟା ଲାଗୁଥିଲା। କିନ୍ତୁ ଟେକେନଟ୍ରିକ୍ୟୁ ଟିକା ଲଗାଇବାକୁ ମାତ୍ର ୭ ମିନିଟ ସମୟ ଲାଗିବ ବୋଲି ଜାତୀୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମାରିୟୁସ ସ୍କୋଲଜ୍‌ କହିଛନ୍ତି। ଏହି ଟିକା ରୋଗୀଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସରକାରକ ସେଲ୍‌ ଗୁଡ଼ିକୁ ନଷ୍ଟ କରୁଥିବା କୁହାଯାଉଛି। ବର୍ତ୍ତମାନ ଏହି ଟିକା ଫୁସ୍‌ଫୁସ୍‌, ସ୍ତନ, ଯକୃତ କ୍ୟାନସର ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଉଥିବା ନେଇ ଜାତୀୟ ସ୍ବାସ୍ଥ୍ୟସେବା ସଂସ୍ଥା ପକ୍ଷରୁ କୁହାଯାଇଛି। ଇଂଲଣ୍ଡର ଜାତୀୟ ସେବା ସଂସ୍ଥା ପକ୍ଷରୁ କୁହାଯାଇଛି, ପ୍ରତିବର୍ଷ ୩୬୦୦ ରୋଗୀଙ୍କୁ ଏହି ଟିକା ଦିଆଯିବ। ଫଳରେ ଏହା ରୋଗୀଙ୍କ ଚିକିତ୍ସା ଅବଧି କମାଇବା ସହ କମ୍‌ ସମୟ ମଧ୍ୟରେ ଅଧିକ ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ। ସେହିପରି ରୋଗୀମାନେ କେମୋଥେରାପି ସହ ଏହି ଟିକା ନେଇ ପାରିବେ ବୋଲି କୁହାଯାଇଛି। କ୍ୟାନସର ପାଇଁ ନିଯୁକ୍ତ ଇଂଲଣ୍ଡର ଜାତୀୟ ନିର୍ଦ୍ଦେଶକ ପ୍ରଫେସର ପିଟର୍‌ ଜନସନ୍‌ କହିଛନ୍ତି, କ୍ୟାନସର ରୋଗୀଙ୍କୁ ଆଧୁନିକ ସେବା ଯୋଗାଇବା ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।

Share