Advertisement

ଡ୍ରାଇଭର ନ ମିଳିବାରୁ ସୈନିକ ଚଲାଇବେ ତେଲ ଟ୍ୟାଙ୍କର

ଲଣ୍ଡନ, ୨୯ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍ଗଟ ଦୂର କରିବା ପାଇଁ ସେନା ନିୟୋଜିତ ହେବେ। ଅଧିକାଂଶ ସହରରେ ପେଟ୍ରୋଲ ଟାଙ୍କିଗୁଡ଼ିକ ଖାଲି ହୋଇଯାଇଥିବାରୁ ସେଠାକୁ ବ୍ରିଟିଶ ସୈନ୍ୟ ଟ୍ୟାଙ୍କର ଚଳାଇ ପେଟ୍ରୋଲ ଡିଜେଲ ଯୋଗାଣ କରିବେ ବୋଲି ଜଣାଯାଇଛି। ପେଟ୍ରୋଲ ଟାଙ୍କିରେ ତେଲ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଯେଉଁ କେତେକ ଟାଙ୍କିରେ ତେଲ ରହିଛି ସେଠାରେ ଅସମ୍ଭବ ଭିଡ଼ ଲାଗି ରହୁଛି। ତେଲ ଦର ଆକାଶଛୁଆଁ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ବୋତଲ ଧରି ଟାଙ୍କି ବାହାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଟ୍ୟାଙ୍କର ଚାଳକ ନ ଥିବାରୁ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଟ୍ରାନ୍ସପୋର୍ଟ ସମ୍ଭବ ନୁହେଁ ବୋଲି କହୁଛନ୍ତି। ୧୫୦ ସୈନ୍ୟ କିଛି ଦିନ ମଧ୍ୟରେ ଟ୍ୟାଙ୍କର ଚଳାଇ ତେଲ ପରିବହନ କରିବେ ବୋଲି ବାଣିଜ୍ୟ ମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel