ବିମାନରେ ୫ ଘଣ୍ଟାର ସଂଘର୍ଷ ପରେ ହୃଦଘାତ ରୋଗୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ-ବ୍ରିଟିଶ ଡାକ୍ତର

ଲଣ୍ଡନ,୭ ।୧: ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଡାକ୍ତର ପ୍ରାୟ ୫ ଘଣ୍ଟାର ସଂଘର୍ଷ ପରେ ସାଥି ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । କୁହାଯାଉଛି କି ଲଣ୍ଡନରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ଏହାପରେ ବିମାନରେ ଥିବା ସମସ୍ତ ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହାରି ଭିତରେ ଜଣେ ଭାରତୀୟ-ବ୍ରିଟିଶ ଡାକ୍ତର ଦେବଦୂତ ଭଳି ସାମ୍ନାକୁ ଆସିଥିଲେ ଓ ବହୁ ସଂଘର୍ଷ ପରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । କୁହାଯାଉଛି କି ବିମାନ ଉଡିବା ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଦୁଇଥର ହୃଦଘାତ ହୋଇଥିଲା । ସ୍ଥିତି ଏମିତି ହେଲା କି ସେ ବଡ କଷ୍ଟରେ ନିଶ୍ୱାସ ନେଉଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ବର୍ମିହାମର କ୍ୱିନ୍ସ ଏଲିଜାବେଥ ହସ୍ପିଟାଲରେ କାମ କରୁଥିବା ଡାକ୍ତର ବିଶ୍ୱରାଜ ବେମାଲା(୪୮) ତାଙ୍କ ମାଆଙ୍କ ସହ ସେହି ବିମାନରେ ଭାରତ ଫେରୁଥିଲେ । ସେହି ସମୟରେ ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ଏହି ଘଟଣା ନଭେମ୍ବର ମାସର । ଏବେ ସେ ତାଙ୍କ ଅନୁଭିତି ଶେୟାର କରି କହିଛନ୍ତି, ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହେବା ସହ ତାଙ୍କ ନାଡି ବି ଠିକଭାବେ କାମ କରୁ ନ ଥିଲା । ଏପଟେ କ୍ରିୟୁ ମେମ୍ବରଙ୍କଠାରୁ ସହାୟତା ପାଇଁ ସେ ଉକ୍ତ ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଥିଲେ । ପ୍ରଥମେ ଉକ୍ତ ଯାତୀଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା । ହେଲେ ପୁଣିଥରେ ତାଙ୍କୁ ହୃଦଘାତ ହେବାରୁ ଏଥର ତାଙ୍କୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଟିକେ ଅଧିକ ସମୟ ଲାଗିଥିଲା ।

 

Share