ବ୍ରିଟିଶ୍‌ ଗଣମାଧ୍ୟମର ଅଭିଯୋଗ, ଜି-୨୦ରେ ସୁନକଙ୍କୁ ଅଣଦେଖା କଲା ଭାରତ

ଇଂଲଣ୍ଡ,୧୨।୯: ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍‌ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି। ସୁନକଙ୍କୁ ମୋଦି ସରକାର ଅଣଦେଖା କରିଥିବା ଅଭିଯୋଗ କରିଛି ବ୍ରିଟିଶ୍‌ ଗଣମାଧ୍ୟମ।

ଖବରକାଗଜ ଦି ଗାର୍ଡିଆନରେ ଏନେଇ ଏକ ଆଲେଖ୍ୟ ପ୍ରକାଶ ପାଇଛି। ଦି ଗାର୍ଡିଆନ ଅନୁଯାୟୀ, ଭାରତ ସହ ଦ୍ୱି-ପାକ୍ଷିକ ଆଲୋଚନା ପାଇଁ ସୁନକ ଯେପରି ଆଶା କରିଥିଲେ ସେପରି ବୈଠକ ହୋଇପାରି ନ ଥିଲା। କିନ୍ତୁ ଋଷି ସୁନକ ମୋଦିଙ୍କ ସହ ତାଙ୍କ ବୈଠକକୁ ସଫଳ ହୋଇଛି ବୋଲି କହିଥିଲେ। ଗାର୍ଡିଆନ କହିଛି ଯେ, ସୁନକଙ୍କ ସହ ହୋଇଥିବା ଦ୍ୱିପାକ୍ଷିକ ବୈଠକକୁ ଏତେଟା ଗୁରୁତ୍ୱ ଦିଆଯାଇ ନ ଥିଲା ଯେତିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁରୁତ୍ୱ ଦିଆଯାଇଥିଲା।

ବ୍ରିଟିଶ ଗଣମାଧ୍ୟମ ଅନୁଯାୟୀ ଭାରତ ଏବଂ ବ୍ରିଟେନ ହେଉଛି ଯଥାକ୍ରମେ ବିଶ୍ୱର ପଞ୍ଚମ ତଥା ଷଷ୍ଠ ବୃହତ୍ତମ ଅର୍ଥନୀତି। ଦୁଇ ଦେଶର ନେତାମାନେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନରେ ସାକ୍ଷାତ କରିବାର ଯୋଜନା ଥିଲା କିନ୍ତୁ ସେହିଦିନ ରାଷ୍ଟ୍ରପତି ବାଇଡେନଙ୍କ ସହ ମୋଦିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ସୁନକଙ୍କ ସହ ବୈଠକକୁ ବାତିଲ କରାଯାଇଥିଲା। ତେବେ ଜି-୨୦ ଅଧିବେଶନ ସମୟରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ।

Share