ବ୍ରିଟିଶ୍‌ ସଂଗ୍ରହାଳୟରୁ ୨ହଜାର ଅମୂଲ୍ୟ କଳାକୃତି ଚୋରି, ଅନଲାଇନରେ ବିକ୍ରି ହେଉଛି ଜିନିଷ

ଲଣ୍ଡନ,୨୭।୮: ଲଣ୍ଡନର ବିଶ୍ୱ ପ୍ରସିଦ୍ଧ ବ୍ରିଟିଶ ସଂଗ୍ରହାଳୟରୁ ସୁନା ଅଳଙ୍କାର ଏବଂ ରତ୍ନ ସମେତ ପ୍ରାୟ ୨ହଜାର କଳାକୃତି ଚୋରି ହୋଇଛି। ସେଗୁଡିକୁ ଫେରାଇ ଆଣିବା ପାଇଁ ପୂର୍ବରୁ ଉଦ୍ୟମ ଚାଲିଛି। ଲକ୍ଷ ଲକ୍ଷ ପାଉଣ୍ଡ ମୂଲ୍ୟର ପ୍ରାୟ ୨ହଜାର କଳାକୃତି ଚୋରିରେ ବ୍ରିଟିଶ ସଂଗ୍ରହାଳୟର ବରିଷ୍ଠ କ୍ୟୁରେଟରଙ୍କୁ ସନ୍ଦେହ କରାଯାଉଛି। ଗତ ସପ୍ତାହରେ ସଂଗ୍ରହାଳୟ ସୂଚନା ଦେଇଥିଲା ଯେ, ସଂଗ୍ରାହଳୟରୁ କଳାକୃତି ଚୋରି ହୋଇଛି ଏବଂ ଜଣେ ଅଜ୍ଞାତ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବ୍ରିଟିଶ ସଂଗ୍ରହାଳୟର ସଭାପତି ଜର୍ଜ ଓସବୋର୍ନ କହିଛନ୍ତି ଯେ ସଂଗ୍ରହାଳୟରୁ ଚୋରି ହୋଇ ଅନଲାଇନରେ ବିକ୍ରି ହୋଇଥିବା କିଛି ଜିନିଷକୁ ପୁନରୁଦ୍ଧାର କରାଯାଇଛି।

ପୂର୍ବରୁ ଚୋରି ସାମଗ୍ରୀର ସଂଖ୍ୟା ସ୍ପଷ୍ଟ ହୋଇ ନ ଥିଲା। ବ୍ରିଟିଶ ସଂଗ୍ରହାଳୟ କହିଛି ଯେ, ନିଖୋଜ ଥିବା ଅଧିକାଂଶ ଜିନିଷ ଏକ ଷ୍ଟୋର ରୁମରେ ରଖାଯାଇଥିବା ଛୋଟ ଖଣ୍ଡ। ଏଥି ମଧ୍ୟରେ ସୁନା ଅଳଙ୍କାର, ମୂଲ୍ୟବାନ ପଥର ରତ୍ନ ଏବଂ ଖ୍ରୀଷ୍ଟପୂର୍ବ ପଞ୍ଚଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀରନ୍ତ କାଚ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଏହି ଚୋରି ଏବେର ନୁହେଁ। ଏହି ଘୋଟାଲା ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ବ୍ରିଟିଶ ସଂଗ୍ରହାଳୟ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରତିଷ୍ଠିତ ସଂଗ୍ରହାଳୟ ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ରୋଜେଟା ଷ୍ଟୋନ ଏବଂ ପାର୍ଟେନନ ପ୍ରତିମୂର୍ତ୍ତି ପରି ଐତିହାସିକ କଳାକୃତିର ପ୍ରଦର୍ଶନ ବିଶ୍ୱର ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ଏହି ଘୋଟାଲା ବ୍ରିଟିଶ ସଂଗ୍ରହାଳୟ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ପ୍ରମାଣିତ ହୋଇଛି। ଏହି ଦୁର୍ନୀତି ପ୍ରକାଶ ପାଇବା ପରେ ସଂଗ୍ରହାଳୟର ନିର୍ଦ୍ଦେଶକ ହାର୍ଟୱିଗ ଫିସର ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି।

Share