ନୂଆଦିଲ୍ଲୀ,୨୨।୪: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଛନ୍ତି। ବୋରିସ ଜନସନଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, ସେ ଏପରି ଭବ୍ୟ ଏବଂ ପାରମ୍ପାରିକ ସ୍ବାଗତ କେବେ ଦେଖି ନାହାଁନ୍ତି। ରାଷ୍ଟ୍ରପତି ଭବନ ଯିବା ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନା ଅନୁଯାୟୀ, ଭାରତ ଗସ୍ତର ପ୍ରଥମ ଦିନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗୁଜରାଟ ଯାଇଥିଲେ। ଦ୍ୱିତୀୟ ଦିନରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦୁଇ ଦେଶ ଭିତରେ ରାଜନୈତିକ, କୁଟନୈତିକ ଏବଂ ଆର୍ଥିକ ବୁଝାମଣା ନେଇ ଦୁଇ ନେତା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ମୁକ୍ତ ବାଣିଜ୍ୟ, ଶକ୍ତି କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ନେଇ ତାଙ୍କ ଗସ୍ତ ଗୁରୁତ୍ୱବହନ କରୁଛି।