ମା’ ହେବାକୁ ଯାଉଛନ୍ତି ବ୍ରିଟନି ସ୍ପିୟର୍ସ

ପ୍ରସିଦ୍ଧ ଆମେରିକୀୟ ଗାୟିକା ବ୍ରିଟନି ସ୍ପିୟର୍ସ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ନିକଟରେ ପ୍ରେମିକ ସାମ ଅସଘରୀଙ୍କ ସହ ମାଓ୍ବି ଟ୍ରିପ୍‌ରୁ ଫେରିବା ପରେ ସେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯଦିଓ ସେ ତୃତୀୟଥର ମା’ ହେବେ,କିନ୍ତୁ ସାମଙ୍କ ସହ ଏହା ତାଙ୍କର ପ୍ରଥମ ସନ୍ତାନ ହେବ। ପୂର୍ବରୁ ବ୍ରିଟନିଙ୍କ ପୂର୍ବତନ ସ୍ବାମୀ କେଭିନ ଫେଡେରଲାଇନଙ୍କ ପକ୍ଷରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।
ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିବାକୁ ୪୧ ବର୍ଷୀୟା ସ୍ପିୟର୍ସ ଏକ ଲମ୍ବା ନୋଟ ଲେଖିଛନ୍ତି। ସେ କହିଛନ୍ତି, ପ୍ରେମିକ ସାମ ଅସଘରୀଙ୍କ ସହ ମୁଁ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ମାଓ୍ବିରୁ ଛୁଟି ସାରି ପରେ ମୋର ଓଜନ ବଢିବାକୁ ଲାଗିଥିଲା। ପରୀକ୍ଷା କରିବାରୁ ଜାଣିବାକୁ ପାଇଲି ଯେ ମୁଁ ମା’ ହେବାକୁ ଯାଉଛି। ଗର୍ଭାବସ୍ଥାରେ ନିଜକୁ ଏବଂ ଶିଶୁକୁ ସୁସ୍ଥ ରଖିବା ପାଇଁ ଯୋଗ କରୁଛି।
ପୂର୍ବରୁ ପିତାଙ୍କ ସହ ଚାଲିଥିବା ବିବାଦକୁ ନେଇ ବ୍ରିଟନି ଚର୍ଚ୍ଚାକୁ ଆସିଥିଲେ। ବ୍ରିଟନିଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସାର୍ବଜନୀନ ହେବା ପରେ ପିତା ଝିଅର ବ୍ୟକ୍ତିଗତ, ବୃତ୍ତିଗତ ଏବଂ ଆର୍ଥିକ ସମ୍ପତ୍ତି ସହିତ ଜଡିତ ସମସ୍ତ ବିଷୟ ଉପରେ ନିଷ୍ପତ୍ତି ନେଉଥିଲେ। ଏପରିକି ପିତା ବ୍ରିଟନିଙ୍କୁ ଜନ୍ମ ନିୟନ୍ତ୍ରଣ ପାଇଁ ପ୍ରବର୍ତ୍ତାଇ ଥିଲେ। ଏହି କାରଣରୁ ସେ ମା’ ହୋଇପାରୁ ନ ଥିଲେ। ବ୍ରିଟନି ତାଙ୍କ ପିତାଙ୍କ ଠାରୁ ମୁକ୍ତ ହେବା ପାଇଁ ସ୍ବର ଉତ୍ତୋଳନ କଲେ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ପିତାଙ୍କ ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୧୩ ବର୍ଷ ପରେ ନଭେମ୍ବର ୨୦୨୧ରେ କୋର୍ଟ ବ୍ରିଟନିଙ୍କ ସମ୍ପତ୍ତିରେ ପିତାଙ୍କ ଅଧିକାର ନାହିଁ ବୋଲି ରାୟ ଶୁଣାଇବାର ୫ ମାସ ପରେ ବ୍ରିଟନୀ ମା’ ହେବା ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି।

Share