Categories: ଖେଳ

ଶେଷ ଟେଷ୍ଟରେ ଇତିହାସ ରଚିଲେ ବ୍ରଡ

ଲଣ୍ଡନ,୧।୮: ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରୁ ଅବସର ନେଇଥିବା ବ୍ରଡ ମଧ୍ୟ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ, ତାଙ୍କର ଶେଷ ଟେଷ୍ଟ ମ୍ୟାଚରେ ବ୍ରଡ ଇତିହାସ ସୃଷ୍ଟି କରିଥିଲେ। ତାଙ୍କର ଶେଷ ଟେଷ୍ଟରେ ବ୍ରଡ ଏପରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ, ଯାହା ଟେଷ୍ଟ କ୍ରିକେଟର ୧୪୬ ବର୍ଷର ଇତିହାସରେ କେହି କରିପାରି ନ ଥିଲେ।
ଶେଷ ଟେଷ୍ଟରେ ବ୍ୟାଟିଂ କରୁଥିବା ଷ୍ଟୁଆର୍ଟ ବ୍ରଡ ଶେଷ ବଲରୁ ଛକା ମାରିଥିଲେ। ଶେଷ ବଲରେ ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ। କ୍ୟାରିୟରର ଶେଷ ଟେଷ୍ଟରେ ପ୍ରଥମ ଥର ପାଇଁ ଜଣେ ଖେଳାଳି ଏହି କୀର୍ତ୍ତିମାନ କରିଛନ୍ତି। ଏହାପୂର୍ବରୁ ଅନେକ ବୋଲର ଶେଷ ଟେଷ୍ଟର ଶେଷ ବଲରେ ଉଇକେଟ ନେଇଛନ୍ତି। କିନ୍ତୁ ଶେଷ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ସେ ଶେଷ ବଲରେ ବ୍ୟାଟିଂରେ ଛକା ଏବଂ ବୋଲିଂରେ ଶେଷ ବଲରେ ଉଇକେଟ୍‌ ମିଳିଛି।
ଷ୍ଟୁଆର୍ଟ ବ୍ରଡ ତାଙ୍କର ଶେଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୨୩ ଆଶେଶ୍‌ ସିରିଜରେ ବ୍ରଡ ୨୨ ଉଇକେଟ ନେଇଥିଲେ। ସେ ସିରିଜରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିଲେ। ଏହି ତାଲିକାରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ପ୍ରଥମ ସ୍ଥାନରେ ରହିଥିଲେ। ଷ୍ଟାର୍କ ତାଙ୍କ ନାମରେ ମୋଟ ୨୩ ଉଇକେଟ ନେଇଥିଲେ।
୩୭ ବର୍ଷର ଷ୍ଟୁଆର୍ଟ ବ୍ରଡ ପ୍ରାୟ ୧୬ ବର୍ଷ ଧରି ଟେଷ୍ଟ କ୍ରିକେଟ ଖେଳିଥିଲେ। ୨୧ ବର୍ଷ ବୟସରେ ଡେବ୍ୟୁ କରିଥିବା ବ୍ରଡ ମୋଟ ୧୬୭ ଟେଷ୍ଟରେ ୬୦୪ ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ୩୬୬୨ ରନ ମଧ୍ୟ କରିଥିଲେ। ଟେଷ୍ଟରେ ବ୍ରଡ୍ର ସର୍ବାଧିକ ସ୍କୋର ହେଉଛି ୧୬୯ ରନ। ବୋଲିଂରେ ଥିବାବେଳେ ବ୍ରଡ ୨୦ ଥର ଏକ ଇନିଂସରେ ପାଞ୍ଚ ଉଇକେଟ ନେଇଥିଲେ ଏବଂ ୨୮ ଥର ଏକ ଇନିଂସରେ ଚାରି ଉଇକେଟ ନେଇଥିଲେ।

Share